ବୁଲା ଜନ୍ତୁକୁ ବଞ୍ଚାଇବାକୁ ଯାଇ ଓଲଟିଲା କାର୍, ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ଆମେଠିରେ ବୁଲା ଜୀବଜନ୍ତୁଙ୍କ ଯୋଗୁଁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାୟବରେଲୀ-ଜଗଦୀଶପୁର ରାସ୍ତାରେ ଥୋରୀ ଗାଁ ନିକଟରେ ଏକ କାର୍ ସାମ୍ନାରେ ବୁଲା ଜନ୍ତୁ ଆସିଯିବାରୁ ଗାଡ଼ିଟି ଦୁର୍ଘଟଣାର ଶିକାର ହୋଇଥିଲା । ଏହାପରେ କାର୍ ଅନିୟନ୍ତ୍ରିତ ହୋଇ ଓଲଟି ପଡିଥିଲା । କାରରେ ଥିବା ଜଣେ ମହିଳାଙ୍କ ଜୀବନ ଚାଲିଯାଇଥିବା ବେଳେ ତାଙ୍କ ସ୍ବାମୀ ଏବଂ ପୁଅର ଅବସ୍ଥା ଗୁରୁତର ରହିଛି ।

ପୋଲିସ କହିବା ମୁତାବକ, ରାୟବରେଲୀ ଜିଲ୍ଲାର ରାଣା ନଗର ନିବାସୀ ଶିବନନ୍ଦନ ସିଂହ ପତ୍ନୀ ଉଷା ସିଂହ ଏବଂ ପୁଅ ସହିତ କାରରେ ଯାଉଥିଲେ । ଗାଡି ଭାଲେ ସୁଲତାନ ଶହୀଦ ସ୍ମାରକ ଥାନା ଅଞ୍ଚଳରେ ପହଞ୍ଚିବା ବେଳକୁ ଏକ ବୁଲା ଜନ୍ତୁ ସାମ୍ନାକୁ ଚାଲିଆସିଥିଲା । ଫଳରେ ଗାଡ଼ି ଡ୍ରାଇଭର ତାକୁ ବଞ୍ଚାଇବାକୁ ଯାଇ ଧକ୍କା ହୋଇଥିଲେ ଏବଂ ରାସ୍ତାରେ ଗାଡ଼ିଟି ଓଲଟି ପଡିଥିଲା ।

ଦୁର୍ଘଟଣାରେ ଆହତଙ୍କୁ ସ୍ଥାନୀୟ ଲୋକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ଶିବନନ୍ଦନଙ୍କ ପତ୍ନୀଙ୍କୁ ମୃତ ଘୋଷଣା କରିଥିଲେ । ଆଉ ଶିବନନ୍ଦନ ଏବଂ ତାଙ୍କ ପୁଅ ଗୁରୁତର ରହିଛନ୍ତି । ତାଙ୍କୁ ଅଧିକ ଚିକିତ୍ସା ପାଇଁ ଲକ୍ଷ୍ନୌର ଏକ ଘରୋଇ ହସପିଟାଲକୁ ରେଫର କରାଯାଇଛି । ଦୁର୍ଘଟଣା ପରେ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । କିନ୍ତୁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Also Read : ପ୍ରେମାନନ୍ଦ ମହାରାଜ ରହୁଥିବା ଫ୍ଲାଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ