ଏୟାର ଇଣ୍ଡିଆ ବିମାନରେ କାଟରିଜ୍, ଦୁବାଇରୁ ଦିଲ୍ଲୀ ଆସୁଥିଲା ବିମାନ
ଦେଶରେ ଲଗାତାର ବିମାନକୁ ବୋମା ଧମକ ମିଳିବା ପରେ ଏବେ ଆଉ ଏକ ଘଟଣା ଦେଖିବାକୁ ମିଳିଛି । ଏୟାର ଇଣ୍ଡିଆନ ବିମାନରେ କାଟରିଜ୍ ଦେଖିବାକୁ ମିଳିଛି । ଏୟାର ଇଣ୍ଡିଆର ଦୁବାଇରୁ ଦିଲ୍ଲୀ ଆସୁଥିବା ବିମାନର ସିଟ ପକେଟରେ କାଟରିଜ ମିଳିଥିଲା । ତେବେ କିଏ କେମିତି ଏହାକୁ ବିମାନରେ ଆଣିଲା ତାହା ଜଣାପଡିନାହିଁ । ଏହାକୁ ନେଇ ଏୟାର ଇଣ୍ଡିଆ ଏକ ଅଭିଯୋଗ ଦାୟର କରିଛି । ପୋଲିସ ଘଟଣା ପରେ ଯାଞ୍ଚ ଆରମ୍ଭ କରିଛି ।
ଏୟାର ଇଣ୍ଡିଆର ପ୍ରବକ୍ତା କହିଛନ୍ତି, ୨୭ ଅକ୍ଟୋବରରେ ଦୁବାଇରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନ ୯୧୬ରେ ଏକ ସିଟ୍ ପକେଟରେ ଏକ କାଟରିଜ୍ ମିଳିଥିଲା । ଏହାକୁ ବିମାନ ସୁରକ୍ଷିତ ଭାବେ ଅବତରଣ କରିବା ପରେ କଢାଯାଇଥିଲା । ଏଥିରେ ଯାତ୍ରୀଙ୍କୁ କୌଣସି ହାନି ହୋଇନାହିଁ । ଏହାପରେ ଏୟାର ଇଣ୍ଡିଆ ଦ୍ବାରା ନିର୍ଦ୍ଧାରିତ ସୁରକ୍ଷା ପ୍ରୋଟେକୋଲକୁ ପାଳନ କରିବା ପରେ ଏୟାରପୋର୍ଟ ପୋଲିସରେ ଅଭିଯୋଗ ଦାୟର କରାଯାଇଛି ।
ତେବେ କାଟରିଜ ବିମାନରେ ନେବା ବାରଣ । ଏହାକୁ ବିସ୍ଫୋରଣ ପାଇଁ ବ୍ୟବହାର କରାଯାଇପାରେ । ତେଣୁ ଏହାକୁ ନେବା ମନା । ତେବେ ବିମାନ ଭିତରକୁ ଚେକିଂ ସତ୍ତ୍ବେ କେମିତି ଆସିଲା, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।
ସୂଚନାଯୋଗ୍ୟ, ୨୬ ଅକ୍ଟୋବର ପୂର୍ବରୁ ୧୩ ଦିନ ଧରି ଭାରତୀୟ ଏୟାରଲାଇନ୍ସର ୩୦୦ରୁ ଅଧିକ ବିମାନକୁ ବୋମା ଧମକ ମିଳିଥିଲା । ଯାଞ୍ଚ ପରେ ଏହା ମିଛ ବୋଲି ଜଣାପଡିଛି । ଅଧିକାଂଶ ଧମକ ସୋସିଆଲ ମିଡିଆ ମାଧ୍ୟମରେ କରାଯାଇଥିଲା । ୨୨ ଅକ୍ଟୋବରରେ ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆର ୧୩ଟି ଲେଖାଏଁ ବିମାନକୁ ବୋମା ଧମକ ମିଳିଥିଲା । ଏହି ମାମଲାରେ ସାମିଲ ଥିବା ୩୫ ବର୍ଷୀୟ ଜଣେ ବ୍ୟକ୍ତିକୁ ନାଗପୁରରୁ ପୋଲିସ ଗିରଫ କରିଛି ।