ଟ୍ରେନି IAS ପୂଜା ଖେଦକରଙ୍କ ବାପା ମା’ ନାମରେ ମାମଲା ରୁଜୁ, ଚାଷୀଙ୍କୁ ପିସ୍ତଲ ଦେଖାଇ ଦେଉଥିଲେ ଧମକ

ମହାରାଷ୍ଟ୍ରର ଟ୍ରେନି ଆଇଏଏସ୍ ପୂଜା ଖେଡକରଙ୍କୁ ନେଇ ବିବାଦ ଥମିବା ନାଁ ଧରୁନି । ତାଙ୍କ ପରେ ତାଙ୍କ ବାପା ଓ ମାଆଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି । ପୁନେ ଗ୍ରାମାଞ୍ଚଳ ପୋଲିସ ଏଫଆଇଆର ରୁଜୁ କରିଛି । ପୂଜାଙ୍କ ମାଆ ମନୋରମା ଜଣେ ଚାଷୀଙ୍କୁ ପିସ୍ତଲ ଦେଖାଇ ଧମକଚମକ ଦେଉଥିଲେ ବୋଲି ଚାଷୀ ଅଭିଯୋଗ କରିଛନ୍ତି । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।
ଭାଇରଲ ହେଉଥିବା ଭିଡିଓ ବର୍ଷ ତଳର ବୋଲି ଜଣାପଡିଛି । ପୂଜାଙ୍କ ମା, ବାପା ଏବଂ ବର୍ଡିଗାର୍ଡଙ୍କ ନାମରେ ପୁନେର ପାଉଦ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି । ତାଙ୍କ ବିରୋଧରେ ଆର୍ମସ୍ ଆକ୍ଟରେ ଏକାଧିକ ଦଫା ଲାଗିଛି । ପୋଲିସ ସେକ୍ସନ ୩୨୩, ୫୦୪, ୫୦୬, ୧୪୩, ୧୪୪, ୧୪୭, ୧୮, ୧୮୯ ଏବଂ ଆର୍ମସ ଆକ୍ଟରେ ଧାରା ୩(୨୫) ଅଧିନରେ ମାମଲା ରୁଜୁ ହୋଇଛି ।
ଭାଇରଲ ଭିଡିଓରେ ପୂଜାଙ୍କ ମା’ ମନୋରମା ବନ୍ଧୁକ ଦେଖାଇ କିଛି ଲୋକଙ୍କୁ ଧମକାଉଥିବା ଦେଖିବାକୁ ମିଳୁଛି । ବନ୍ଧୁକ ଦେଖାଇ ସେ କିଛି ଚାଷୀଙ୍କ ଜମି କବଜା କରିବା ନିମନ୍ତେ ସେମାନଙ୍କୁ ଧମକାଉଥିବା ଅଭିଯୋଗ ହୋଇଥିଲା । ପୂର୍ବରୁ ତାଙ୍କ ମା’ ମିଡିଅ କର୍ମୀଙ୍କୁ ଧମକାଉଥିବା ସାମ୍ନାକୁ ଆସିଥିଲା । ପୂଜାଙ୍କ ବାପା ଦିଲ୍ଲୀପ ପ୍ରଦୂଷଣ ବିଭାଗର କମିଶନର ଥିଲେ । ଚାକିରି ସମୟରେ ଅନେକ ସ୍ଥାନରେ ଅବୈଧ କବଜା କରି କୋଟି କୋଟି ଟଙ୍କାର ସଂପତ୍ତି କରିଛନ୍ତି ବୋଲି ଖବର ମିଳିଛି ।
ସୂଚନାଯୋଗ୍ୟ, ପୂଜା ଖେଡକର ୨୦୨୩-ବ୍ୟାଚ୍ ଆଇଏଏସ୍ ଅଧିକାରୀ । ସେ ପୁଣେରେ ଟ୍ରେନି ଭାବେ ନିଯୁକ୍ତ ହୋଇଥିଲେ । ତାଙ୍କ ଅଡ଼ି କାରକୁ ନେଇ ବିବାଦ ସାମ୍ନାକୁ ଆସିଛି । ପୂଜା ଖେଡକର ବ୍ୟବହାର କରୁଥିବା ଅଡ଼ି କାର୍ ବିରୁଦ୍ଧରେ ୨୧ଟି ଟ୍ରାଫିକ ନିୟମ ଉଲ୍ଲଙ୍ଘନ ଅଭିଯୋଗ ରହିଛି । ପୂଜା କାର୍ଯ୍ୟରେ ଯୋଗଦାନ କରିବା ପୂର୍ବରୁ ନିଦ ପଦବୀର ଦୂରୁପୋଯୋଗ ଏବଂ ଟ୍ରେନି ଅବଧିରେ ଥିବାବେଳେ ଭିଆଇପି ଷ୍ଟାଟସ୍ ମାଗି ଚର୍ଚ୍ଚାରେ ଥିବା ପୂଜାଙ୍କୁ ୱାଶିମକୁ ବଦଳି କରାଯାଇଛି।