‘ମ୍ୟାଉଁ ମ୍ୟାଉଁ’ ଶୁଣି ପଳାଇଗଲା ଚୋର, ଫିଲ୍ମ ନିର୍ଦ୍ଦେଶକଙ୍କ ଘରୁ ଚୋରି ଘଟଣା ଅଟକାଇ ଦେଲା ପୋଷା ବିଲେଇ

ଚୋରଠୁ ଚତୁର ବାହାରିଲା ବିଲେଇ । ମୁମ୍ବାଇରୁ ଆସିଛି ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଏଠାରେ ଏକ ବିଲେଇ ‘ମ୍ୟାଉଁ ମ୍ୟାଉଁ’ ହୋଇ ଚୋରକୁ ଭଗାଇ ଦେଇଛି । ଗତ ରବିବାର ରାତିରେ ଜଣାଶୁଣା ମରାଠି ଫିଲ୍ମ ନିର୍ଦ୍ଦେଶକ ସ୍ୱପ୍ନା ଯୋଶୀଙ୍କ ଘରୁ ଚୋରି କରିବାକୁ ଏକ ଚୋର ଆସିଥିଲା । କିନ୍ତୁ ଘରର ପୋଷା ବିଲେଇ ଅଜଣା ଲୋକ ଦେଖି ଜୋର୍‌ରେ ମ୍ୟାଉଁ ମ୍ୟାଉଁ ହୋଇଥିଲା । ଫଳରେ ଚୋରଟି ଭୟରେ ପଳାଇ ଯାଇଥିଲା ।

ନିର୍ଦ୍ଦେଶକଙ୍କ ଅନ୍ଧେରୀସ୍ଥିତ ଫ୍ଲାଟ୍‌ରେ ଏହି ଘଟଣା ଘଟିଛି । ପୋଲିସ ଏ ନେଇ ଏଫ୍‌ଆଇଆର୍‌ ପଞ୍ଜିକୃତ କରିଛି । ତେବେ ଚୋର ୬ ହଜାର ଟଙ୍କା ନେଇ ଖସି ପଳାଇବାରେ ସଫଳ ହୋଇଛି । ସ୍ଥାନୀୟ ଅମ୍ବୋଲି ଥାନା ଅଧିକାରୀ କହିଛନ୍ତି ଯେ ବିଳମ୍ବିତ ରାତି ପ୍ରାୟ ସାଢ଼େ ୩ଟାରେ ଚୋର ଅତି ଚତୁରତାର ସହ ପାଇପ୍‌ ସାହାଯ୍ୟରେ ୬ ମହଲା ଚଢ଼ି ନିର୍ଦ୍ଦେଶକଙ୍କ ଫ୍ଲାଟ୍‌ରେ ପଶିଥିଲା ।

ଏହି ସମୟରେ ପୋଷା ବିଲେଇଟି ଅଜଣା ଲୋକ ଦେଖି ବୋବାଇଥିଲା । ଫ୍ଲାଟ୍‌ର ଏକ କୋଠରୀରେ ନିର୍ଦ୍ଦେଶକଙ୍କ ଜ୍ୱାଇଁ ଓ ତାଙ୍କ ଝିଅ ଶୋଇଥିଲେ । ବିଲେଇର ପାଟି ଶୁଣି ସେମାନେ ଉଠି ପଡ଼ିଥିଲେ ଏବଂ ଚୋର ଚୋର କହି ଚିତ୍କାର କରିବା ଆରମ୍ଭ କରିଥିଲେ । ଏହାପରେ ଚୋର ଭୟରେ ସେଠାରୁ ପଳାଇ ଯାଇଥିଲା । ଏହି ପୂରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଭିଡିଓ ଫୁଟେଜ୍‌ରେ ଚୋର ଏକ ପର୍ସରୁ ୬ ହଜାର ଟଙ୍କା ବାହାର କରୁଥିବାର ଦେଖାଯାଉଛି ।