ବିହାର NEET ପେପର୍‌ ଲିକ୍‌ର ମାଷ୍ଟରମାଇଣ୍ଡ ‘ରକି’ ଗିରଫ, ସିବିଆଇକୁ ମିଳିଲା ୧୦ ଦିନର ରିମାଣ୍ଡ

ବିହାରରେ ନିଟ୍‌ ପେପର୍‌ ଲିକ୍‌ ମାମଲାର ମାଷ୍ଟରମାଇଣ୍ଡ ରାକେଶ ରଞ୍ଜନ ଓରଫ୍‌ ରକିଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗିରଫ କରିଛି । ବିହାରର ପାଟନାରୁ ତାଙ୍କୁ ଗିରଫ କରାଯାଇଛି । କୋର୍ଟରୁ ସିବିଆଇକୁ ୧୦ ଦିନର ରିମାଣ୍ଡ ମିଳିଛି । ପାଟନା ଏବଂ କୋଲକାତାରେ ରକିଙ୍କ ସହ ଜଡ଼ିତ ଠିକଣାଗୁଡ଼ିକରେ ସିବିଆଇର ଚଢ଼ାଉ ପରେ ବିଭିନ୍ନ ଆପତ୍ତିଜନକ ଦସ୍ତାବିଜ୍‌ ଜବତ କରାଯାଇଛି ।

ରାକେଶ ରଞ୍ଜନ ରାଞ୍ଚିରେ ହୋଟେଲ ବ୍ୟବସାୟ କରନ୍ତି । ପେପର୍‌ ଲିକ୍‌ ହେବା ପରେ ଏହାର ସମାଧାନ ନିମନ୍ତେ ସେ ଯୋଗାଡ଼ ପ୍ରସ୍ତୁତ କରିଥିଲେ । ରାଞ୍ଚି ଏବଂ ପାଟନାର ଏମ୍‌ବିବିଏସ୍‌ ଛାତ୍ରମାନଙ୍କୁ ସମାଧାନକାରୀ ରୂପେ ବ୍ୟବହାର କରାଯାଇଥିଲା । ରକି ନିଟ୍‌ ପେପର୍‌ ଲିକ୍‌ ପରେ ଏହାର ଉତ୍ତର ପ୍ରସ୍ତୁତି ପାଇଁ ସମାଧାନକାରୀମାନଙ୍କୁ ଯୋଗାଡ଼ କରିିଥିଲେ । ସେ ଝାଡ଼ଖଣ୍ଡରେ ସଞ୍ଜୀବ ମୁଖିଆ ଗ୍ୟାଙ୍ଗ୍‌ର ଜଣେ ଖାସ୍‌ ସଦସ୍ୟ ଥିଲେ । ବର୍ତ୍ତମାନ ରକିଙ୍କ ଗିରଫଦାରୀ ପରେ ସମାଧାନକାରୀଙ୍କ ବିଷୟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିପାରେ ।

ତେବେ ସିବିଆଇକୁ ଏହି ସଫଳତା ଅମନ ସିଂଙ୍କ ଗିରଫଦାରୀ ପରେ ମିଳିଛି । ସିବିଆଇ ଅମନଙ୍କୁ ଝାଡ଼ଖଣ୍ଡର ଧନବାଦରୁ ଗିରଫ କରିଥିଲା । ପେପର୍‌ ଲିକ୍‌ ଘଟଣାରେ ଅମନଙ୍କୁ ରକିଙ୍କର ବହୁତ ଖାସ୍‌ ବୋଲି କୁହାଯାଇଛି । ଅମନ ଓ ରକିଙ୍କ ଗିରଫଦାରୀ ପରେ ସିବିଆଇ ବର୍ତ୍ତମାନ ନିଟ୍‌ ପେପର୍‌ ଲିକ୍‌ ମାମଲାରେ ସଞ୍ଜୀବ ମୁଖିଆ ଓରଫ୍‌ ଲୁଟନ୍‌ଙ୍କୁ ଖୋଜାଖୋଜି କରୁଛି ।

କହି ରଖୁଛୁ, କେନ୍ଦ୍ର ଏବଂ ଏନ୍‌ଟିଏ ସୁପ୍ରିମ୍‌କୋର୍ଟରେ ଏକ ଆଫିଡେଭିଟ୍‌ ଦାଖଲ କରିବା ପରେ ସିବିଆଇ ଏହାର ତଦନ୍ତ ରିପୋର୍ଟ ଦାଖଲ କରିଛି । ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ତିନିଜଣିଆ ଖଣ୍ଡପୀଠ ଆଜି ଜୁଲାଇ ୧୧ରେ ନିଟ୍‌ ବିବାଦ ଉପରେ ଶୁଣାଣି କରିବାର ଥିଲା, କିନ୍ତୁ ଏହାକୁ ଜୁଲାଇ ୧୮ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ରକିଙ୍କ ଗିରଫଦାରୀରୁ ମାମଲାରେ ନୂଆ ଖୁଲାସା ହେବାର ଆଶା କରାଯାଉଛି, ଯାହା ଉପରେ ଜୁଲାଇ ୧୮ରେ କୋର୍ଟରେ ମଧ୍ୟ ଚର୍ଚ୍ଚା ହୋଇପାରେ ।

You might also like