ନିଟ୍ ମାମଲାରେ ଆଉ ୨ ଗିରଫ, ଟ୍ରଙ୍କ୍ରୁ ପ୍ରଶ୍ନପତ୍ର ଚୋରି କରିଥିବା ଅଭିଯୁକ୍ତଙ୍କୁ ଧରିଲା CBI

ନିଟ୍ ପେପର୍ ଲିକ୍ ମାମଲାରେ ସିବିଆଇ ଆଉ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ପଙ୍କଜ ସିଂ ଓ ରାଜୁ । ପଙ୍କଜ ସିଂ ହଜାରୀବାଗ ଟ୍ରଙ୍କରୁ ନିଟ୍ ପେପର୍ ଚୋରି କରିଥିବା ଅଭିଯୋଗ ହୋଇଛି, ଯାହାକୁ ପରବର୍ତ୍ତୀ ସମୟରେ ଲିକ୍ କରି ଦିଆଯାଇଥିଲା । ପଙ୍କଜ ସିଂ ସିଭିଲ ଇଞ୍ଜିନିୟରିଂ ମଧ୍ୟ କରିଛନ୍ତି । ସେପଟେ ରାଜୁ ଉପରେ ଅଭିଯୋଗ ରହିଛି ଯେ ସେ ଲିକ୍ ହୋଇଥିବା ପ୍ରଶ୍ନପତ୍ରକୁ ଚାରିଆଡ଼େ ବାଣ୍ଟି ଦେଇଥିଲେ ।
ସିବିଆଇ ଟିମ୍ ପଙ୍କଜ ସିଂଙ୍କୁ ପାଟନାରୁ ଗିରଫ କରିଛି । ଏଥିସହ ଲିକ୍ ଦୁର୍ନୀତିରେ ତାଙ୍କୁ ସହଯୋଗ କରିଥିବା ରାଜୁଙ୍କୁ ଝାଡ଼ଖଣ୍ଡର ହଜାରୀବାଗରୁ ଗିରଫ କରାଯାଇଛି । କହି ରଖୁଛୁ, ହଜାରୀବାଗକୁ ପେପର୍ ଲିକ୍ କାଣ୍ଡର ଆଡ୍ଡାସ୍ଥଳୀ ବୋଲି କୁହାଯାଉଛି । ନିଟ୍ ପ୍ରଶ୍ନପତ୍ରକୁ ଏଠାରେ ଟ୍ରଙ୍କରେ ରଖାଯାଇଥିଲା ।
ସିବିଆଇ ଏହାପୂର୍ବରୁ ହଜାରୀବାଗର ଏକ ସ୍କୁଲର ପ୍ରିନ୍ସିପାଲ୍ ଏବଂ ଭାଇସ୍ ପ୍ରିନ୍ସିପାଲ୍ଙ୍କୁ ମଧ୍ୟ ଗିରଫ କରିଥିଲା । ସିବିଆଇ ଟିମ୍ ଉଭୟଙ୍କୁ ଗିରଫ କରି ପାଟନାକୁ ଆଣିଥିଲା । ଏହି ମାମଲାରେ ୧୩ ଜଣଙ୍କୁ ପୂର୍ବରୁ ହିଁ ଗିରଫ କରାଯାଇ ସାରିଛି । ଏବେ ଆଉ ୨ ଜଣ ସିବିଆଇ ହାତରେ ଧରାପଡ଼ିଛନ୍ତି । ଏମାନଙ୍କୁ ମିଶାଇ ବର୍ତ୍ତମାନ ୧୫ ଜଣ ଗିରଫ ହୋଇଛନ୍ତି ।