କେନ୍ୟୁଜ୍(ବ୍ୟୁରୋ): ପଶ୍ଚିମବଙ୍ଗ ରାମପୁରହାଟ ୮ ଜୀବନ୍ତ ଦଗ୍ଧ ମାମଲାର ତଦନ୍ତ ଆରମ୍ଭ କଲା ସିବିଆଇ । ସିବିଆଇ ତଦନ୍ତ ପାଇଁ କଲିକତା ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ସିବିଆଇ ତଦନ୍ତକାରୀ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । କଲିକତା ହାଇକୋର୍ଟ ମୁଖ୍ୟ ବିଚାରପତି ପ୍ରକାଶ ଶ୍ରୀବାସ୍ତବ ଓ ଜଷ୍ଟିସ ଆର ଭରଦ୍ୱାଜଙ୍କ ଖଣ୍ଡପୀଠ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ତଦନ୍ତ କରୁଥିବା ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାର ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ସମସ୍ତ କାଗଜପତ୍ର ସିବିଆଇକୁ ହସ୍ତାନ୍ତର କରିବ । ଆସନ୍ତା ଏପ୍ରିଲ ୭ ତାରିଖରେ ତଦନ୍ତର ଅଗ୍ରଗତି ସଂପର୍କରେ ସିବିଆଇକୁ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଗତ ୨୦ ତାରିଖରେ ବୀରଭୂମ ଜିଲ୍ଲା ରାମପୁରହାଟରେ ନିସ୍ତୁକ ମାଡ଼ ପରେ ଘରେ ନିଆଁ ଲଗାଇଦେବାରୁ ୮ ଜଣ ଜିଅନ୍ତା ଜଳି ଯାଇଥିଲେ ।
ବାଗୁତି ଗାଁର ଉପ ପ୍ରଧାନଙ୍କୁ କିଛି ଦୁର୍ବୃତ୍ତ ହତ୍ୟା କରିବା ପରେ ହିଂସା ଉପୁଜିଥିଲା। ପଶ୍ଚିମବଙ୍ଗ ସରକାର ତଦନ୍ତ ପାଇଁ ୩ ଜଣିଆ ଏସଆଇଟି ଗଠନ କରିଥିଲେ । ଗତକାଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣା ସ୍ଥଳକୁ ଯାଇ ମୃତକଙ୍କ ପରିବାର ଲୋକଙ୍କ ଭେଟିଥିଲେ । ଅପରାଧୀଙ୍କ ବିରୋଧରେ କଠୋରତମ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ଘଟଣାର ଏପର୍ଯ୍ୟନ୍ତ ୨୨ ଜଣ ଗିରଫ ହେଲେଣି । କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଜଣେ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ।