ସୁପ୍ରିମକୋର୍ଟରେ ପୁଣି ଘୁଞ୍ଚିଲା ସିବିଆଇ ବନାମ ସିବିଆଇ ମାମଲା

ସୁପ୍ରିମକୋର୍ଟରେ ପୁଣି ଘୁଞ୍ଚିଲା ସିବିଆଇ ବନାମ ସିବିଆଇ ମାମଲା । ମଙ୍ଗଳବାର ହେବ ପରବର୍ତ୍ତୀ ଶୁଣାଣି । ଆଜି ବି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ମିଳିଲାନି କ୍ଲିନଚିଟ୍‌ । ସେଣ୍ଟ୍ରାଲ୍‌ ଭିଜିଲାନ୍ସ କମିଶନ-ସିଭିସି ଦେଇଥିବା ତଦନ୍ତ ରିପୋର୍ଟ ଉପରେ ତାଙ୍କୁ ଜବାବ ତଲବ କରାଯାଇଛି । ସୋମବାର ସୁଦ୍ଧା ଉତ୍ତର ଦେବାକୁ କହିଛନ୍ତି ସୁପ୍ରିମକୋର୍ଟ । ଆଲୋକ ବର୍ମାଙ୍କ ଓକିଲ ଫଲି ଏସ. ନରିମାନଙ୍କ ଦାବି ପରେ ବନ୍ଦ ଲଫାପାରେ ତାଙ୍କୁ ଦିଆଯାଇଛି ସିଭିସି ତଦନ୍ତ ରିପୋର୍ଟର କପି । ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ଆଲୋକ ବର୍ମାଙ୍କ ବିରୋଧରେ କିଛି ଅଭିଯୋଗ ଉପରେ ପ୍ରତିକୂଳ ଟିପ୍ପଣୀ ଦେଇଛନ୍ତି କୋର୍ଟ । ସିଭିସି ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ଆଲୋକ ବର୍ମାଙ୍କ ଉପରେ ଆସିଥିବା ଅଭିଯୋଗରେ କିଛି ତଥ୍ୟ ସନ୍ତୋଷଜନକ ଓ କିଛି ସନ୍ତୋଷଜନକ ନୁହେଁ । ଆଉ କିଛି ପ୍ରସଙ୍ଗରେ ପ୍ରଶ୍ନବାଚୀ ବି ଉଠିଛି । ସେସବୁ ମାମଲାରେ ତଦନ୍ତର ଆବଶ୍ୟକ ରହିଛି । ଆଲୋକ ବର୍ମାଙ୍କ ଜବାବ ମିଳିବା ପରେ ପରବର୍ତ୍ତୀ ଫୈସଲା ହେବ ।

ଶୁଣାଣି ବେଳେ ଆଲୋକ ବର୍ମାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଫଲି ଏସ ନରିମାନ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ୍‌ କେ. କେ. ଭେନୁଗୋପାଳ ସୁପ୍ରିମକୋର୍ଟରେ ଉପସ୍ଥିତ ଥିଲେ । ସେହିପରି ସିଭିସି ପକ୍ଷରୁ ଶୁଣାଣି ବେଳେ ଉପସ୍ଥିତ ଥିଲେ ସଲିସିଟର ଜେନେରାଲ୍‌ ତୁଷାର ମେହେଟ୍ଟା । ତେବେ ସିବିଆଇ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀଙ୍କ ଯୁକ୍ତି ଶୁଣିବା ପାଇଁ ମନା କରି ଦେଇଥିଲେ କୋର୍ଟ । କହିଥିଲେ, ଏହି ମାମଲାରେ ସେ ପକ୍ଷ ନୁହନ୍ତି ।

ପୂର୍ବରୁ ଗତ ୧୨ ତାରିଖରେ ଆଲୋକ ବର୍ମାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ମାମଲାରେ CVC ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଥିଲେ । ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାର ନିର୍ଦ୍ଦେଶକ ଓ ସ୍ୱତନ୍ତ୍ର ନିର୍ଦ୍ଦେଶକଙ୍କ ମଧ୍ୟରେ ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଛି । ରାତି ଅଧିଆ ଛୁଟିରେ ପଠାଇବା ନିର୍ଦ୍ଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା । ଏହାର ତଦନ୍ତ କରିବା ପାଇଁ ସିଭିସିକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.