ରାଜ୍ୟସଭାରେ ସାଂସଦଙ୍କୁ ମାର୍ଶଲଙ୍କ ଧକ୍କା ଓ ଟଣାଓଟରା, ପଦାକୁ ଆସିଲା ସିସିଟିଭି ଫୁଟେଜ୍

କେନ୍ୟୁଜ୍(ବ୍ୟୁରୋ):ସାମନାକୁ ଆସିଲା ରାଜ୍ୟସଭାରେ ସାଂସଦଙ୍କୁ ମାର୍ଶଲଙ୍କ ଧକ୍କା ମାରିବା ଓ ଟଣାଓଟରା କରିବାର ସିସିଟିଭି ଫୁଟେଜ। ମାର୍ଶଲ ଦୁର୍ବ୍ୟବହାର ନେଇ ବିରୋଧୀ ଦାବି କରିବା ପରେ ସିିସିଟିଭି ଫୁଟେଜ ପଦାକୁ ଆସିଛି। ଗତକାଲି ବିରୋଧୀ ଦଳ ସାଂସଦ ଗୃହ ମଧ୍ୟଭାଗରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ମାର୍ଶଲ ସେମାନଙ୍କୁ ଘେରି ଯାଇଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ଧକ୍କା ମରାମରି ଓ ଠେଲାପେଲା ହୋଇଥିଲା।

କିଛି ସାଂସଦ ଟେବୁଲ ଉପରେ ଚଢିଯାଇଥିବା ବେଳେ କିଛି ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ହୋଇଥିବା ଫୁଟେଜରେ ଦେଖାଯାଇଛି। ଏହି ଘଟଣାରେ ବିରୋଧୀ ସାଂସଦମାନେ ରାଜ୍ୟସବା ଅଧ୍ୟକ୍ଷ ଭେଙ୍କୟା ନାଇଡୁଙ୍କୁ ଭେଟି ପ୍ରତିବାଦ ଜଣାଇଛନ୍ତି । ସଂସଦର ସୁରକ୍ଷା ଦାୟିତ୍ୱରେ ନଥିବା କିଛି ବାହାରର ଲୋକ ଗୃହରେ ମହିଳା ସାଂସଦଙ୍କ ସମେତ ବିରୋଧୀ ସଦସ୍ୟଙ୍କୁ ଠେଲାପେଲା କରିଥିବା ସେମାନେ ଅଭିଯୋଗ କରିଛନ୍ତି ।

ବିରୋଧୀଙ୍କ ସ୍ୱରକୁ ଦବାଇଦେବା ଓ ସରକାରଙ୍କ ଆଭିମୁଖ୍ୟକୁ ଗୃହରେ ବିରୋଧ କରାଯାଇଥିଲା । ଏହି ସମୟରେ ଗୃହରେ କୌଣସି ଉତ୍ତେଜନା ନଥିଲା । ହେଲେ ପାର୍ଲାମେଣ୍ଟରେ ସୁରକ୍ଷାକର୍ମୀ ହୋଇ ନଥିବା କିଛି ବାହାର ଲୋକଙ୍କୁ ଆଣି ବିରୋଧୀ ସାଂସଦଙ୍କ ଉପରେ ବଳ ପ୍ରୟୋଗ କରାଯାଇଛି । ଏହାକୁ ଅଗଣତାନ୍ତ୍ରିକ କାର୍ଯ୍ୟ କହିବା ସହ ବିରୋଧୀ ଦଳ ତୀବ୍ର ନିନ୍ଦା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.