ବୀର ବାଦ୍ୟରେ କମ୍ପିଲା ଦିଲ୍ଲୀ ବ୍ରାର ସ୍କୋୟାର ଶ୍ମଶାନ ଘାଟ, ପଞ୍ଚଭୂତରେ ବିଲୀନ ହେଲା ସିଡିଏସ ଜେନେରାଲ୍‌ ବିପିନ ରାଓ୍ଵତଙ୍କ ମରଶରୀର

କେନ୍ୟୁଜ୍(ବ୍ୟୁରୋ):ଗର୍ଜିଲା ତୋପ । ବୀର ବାଦ୍ୟରେ କମ୍ପିଲା ଦିଲ୍ଲୀ ବ୍ରାର ସ୍କୋୟାର ଶ୍ମଶାନ ଘାଟ । ବିପିନ୍‌ ରାଓ୍ଵତ ଅମର ରହେ ସ୍ଲୋଗାନରେ ମୁଖରିତ ହେଲା ଗଗନ ପବନ। ଉଡ଼ିଲା ତ୍ରିରଙ୍ଗା । ୧୭ ତୋପ ସଲାମୀ । ୮୦୦ ସେନା କର୍ମଚାରୀ । ସାମରିକ ମର୍ଯ୍ୟାଦା ସହ ବୀର ପୁତ୍ରଙ୍କୁ ଅନ୍ତିମ ବିଦାୟ ଦେଲା ଦେଶ । ପଞ୍ଚଭୂତରେ ଲୀନ ହେଲା ଭାରତର ପ୍ରଥମ ସିଡିଏସ୍‌ ଜେନେରାଲ ବିପିନ୍‌ ରାଓ୍ଵତଙ୍କ ମର ଶରୀର । ମୁଖାଗ୍ନି ଦେଲେ ଜେନେରାଲ ରାଓ୍ଵତଙ୍କ ଦୁଇ ଝିଅ କ୍ରିତିକା ଓ ତାରିଣୀ । ଜେନେରାଲ ରାଓ୍ଵତଙ୍କ ଶେଷକୃତ୍ୟ ପାଇଁ ତାଙ୍କ ମୂଳ ୟୁନିଟ୍‌ ୫/୧୧ ଗୋର୍ଖା ସମସ୍ତ ବନ୍ଦୋବସ୍ତ କରାଯାଇଥିଲା।

ଅନ୍ତିମ ଶୋଭାଯାତ୍ରା ବି କହିଥିଲା ବିପିନ ରାଓ୍ଵତଙ୍କ ବୀରତ୍ୱର ଗାଥା। ଶ୍ମଶାନ ଘାଟକୁ ଶୋଭାଯାତ୍ରା ଆସିବା ବେଳେ ଲୋକାରଣ୍ୟ ହୋଇଥିଲା ରାସ୍ତାର ଉଭୟ ପାର୍ଶ୍ୱ । ଶୁଣା ଯାଇଥିଲା ସ୍ଲୋଗାନ୍‌; ଜବ ତକ୍‌ ସୂରଜ ଚାନ୍ଦ ରହେଗା, ତବ୍‌ ତକ୍‌ ବିପିନ୍‌ ଜୀ କା ନାମ୍‌ ରହେଗା । ଶୋଭାଯାତ୍ରା ପୂର୍ବରୁ ଦେଶର ସର୍ବୋଚ୍ଚ ସେନାପତିଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ତାଙ୍କ ବାସଭବନକୁ ଲାଗିଥିଲା ଲମ୍ବା ଧାଡ଼ି । ପହଞ୍ଚି ଥିଲେ ରାଜନେତା, ସେନା ଅଧିକାରୀ ଓ ସାଧାରଣ ଲୋକ । ତିନି ସେନାର ମୁଖ୍ୟ, ଏନଏସ୍‌ଏ ଅଜିତ ଡୋଭାଲ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନଭି ରମଣା, ଅନେକ ମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା, ରାହୁଲ ଗାନ୍ଧୀ ପ୍ରମୁଖ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏକାଧିକ ଦେଶର ରାଷ୍ଟ୍ରଦୂତ ପହଞ୍ଚିଥି ଜେନେରାଲ ରାଓ୍ଵତଙ୍କୁ ଦେଇଥିଲେ ଶେଷ ସମ୍ମାନ । ଧାର୍ମିକ ଗୁରୁ ବି ଅର୍ପଣ କରିଥିଲେ ଶ୍ରଦ୍ଧାଞ୍ଜଳି । କୋହ ସମ୍ଭାଳି ନପାରି ଜଣେ ବୃଦ୍ଧା ଲୋଟି ପଡ଼ିଥିବା ଦେଖିବାକୁ ମିଳିଥିଲା ।

ଜେନେରାଲ ରାଓ୍ଵତଙ୍କ ପୂର୍ବରୁ ପଞ୍ଜଭୂତିରେ ବିଲୀନ ହୋଇଥିଲା ବ୍ରିଗେଡିୟର ଏଲ୍‌.ଏସ୍‌ ଲାଡରଙ୍କ ମର ଶରୀର । ତାଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଦେବା ବେଳେ ଦେଶ ଦେଖିଥିଲା ହୃଦୟ ବିଦାରକ ଦୃଶ୍ୟ । ସ୍ୱାମୀଙ୍କ କଫିନ୍‌କୁ ଚୁମ୍ବନ ଦେଇଥିଲେ ବ୍ରିଗେଡିୟର ଲାଡରଙ୍କ ପତ୍ନୀ ଗୀତିକା ଲାଡର ।

Leave A Reply

Your email address will not be published.