ଦେଶରେ ୨୦୨୫ରେ ହେବ ଜନଗଣନା : ୮୪୬କୁ ବଢ଼ିବ ଲୋକସଭା ଆସନ ! ଓଡ଼ିଶାରେ ଲୋକସଭା ସିଟ ସଂଖ୍ୟା ୨୪ ହେବ !

ଦେଶରେ ୨୦୨୫ରେ ହେବ ଜନଗଣନା। ୨୦୨୬ ସୁଦ୍ଧା ଶେଷ ହେବ ପ୍ରକ୍ରିୟା। ଏହା ପରେ ଲୋକସଭା ଆସନର ସୀମା ପୁନଃ ନିର୍ଦ୍ଧାରଣ ହୋଇ ୨୦୨୯ରେ ନୂଆ ଆସନ ସହ ଦେଶରେ ନିର୍ବାଚନ ହେବ। ଜାତୀୟ ଗଣମାଧ୍ୟମରେ ଜନଗଣନା ନେଇ ଏଭଳି ରିପୋର୍ଟ ପ୍ରକାଶ ପାଇଛି। ଏହା ସହ ଲୋକସଭାର ସିଟ ସଂଖ୍ୟା ୫୪୩ରୁ ବଢିବା ମଧ୍ୟ ସମ୍ଭାବନା ରହିଛି। ଦେଶରେ ମହିଳା ସଂରକ୍ଷଣ ବିଲ ପ୍ରଣୟନ ହୋଇଥିବାରୁ ୨୦୨୯ ନିର୍ବାଚନରେ ୩୩ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ। ଓଡ଼ିଶାରେ ଲୋକସଭା ସହ ବିଧାନସଭା ଆସନ ମଧ୍ୟ ବଢିବ।

ଆସନ୍ତା ବର୍ଷ ଦେଶରେ ହେବ ଜନଗଣନା। ୨୦୨୫ରେ ଜନଗଣନା ଆରମ୍ଭ ହୋଇ ୨୦୨୬ରେ ଶେଷ ହେବ। ଆସନ୍ତା ବର୍ଷ ଦେଶରେ ଜନଗଣନା ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଜନଗଣନା ଶେଷ ହେବା ପରେ ଲୋକସଭା ଆସନର ସୀମା ପୁନଃ ନିର୍ଦ୍ଧାରଣ ହେବା ସମ୍ଭାବନା ରହିଛି। ଦେଶରେ ୨୦୨୧ରେ ଜନଗଣନା ପ୍ରକ୍ରିୟା କୋଭିଡ ମହାମାରୀ ପାଇଁ ହୋଇପାରିନଥିଲା। ବର୍ତ୍ତମାନ ଦେଶରେ ୨୦୧୧ ଜନଗଣନା ରିପୋର୍ଟ ଆଧାରରେ ଜନସଂଖ୍ୟାର ବ୍ୟବହାର କରାଯାଉଛି। ଆସନ୍ତା ବର୍ଷରୁ ଜନଗଣନାରେ ଜନସଂଖ୍ୟାର ଡାଟା ସଂଗ୍ରହ ପାଇଁ ପ୍ରକ୍ରିୟା ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି। ୧୯୭୧ ଜନଗଣନା ରିପୋର୍ଟ ଆଧାରରେ ଲୋକସଭାରେ ଆସନ ସଂଖ୍ୟା ୫୪୩ ରହିଛି। ୨୦୨୬ରେ ଜନସଂଖ୍ୟା ଡାଟା ଆସିବା ପରେ ନିର୍ବାଚନ କ୍ଷେତ୍ରର ସୀମା ପୁନଃ ନିର୍ଦ୍ଧାରଣ ସହ ଲୋକସଭା ଓ ବିଧାନସଭା ଆସନ ସଂଖ୍ୟା ବୃଦ୍ଧି ପାଇବା ଜଣାପଡ଼ିଛି।

ସୀମା ପୁନଃନିର୍ଦ୍ଧାରଣ ହେଲେ କେତେ ହେବ ଲୋକସଭାର ଆସନ ସଂଖ୍ୟା? ବିଭିନ୍ନ ଜାତୀୟ ଗଣମାଧ୍ୟମ ଏନେଇ ଆକଳନ କରିଛନ୍ତି। ଏନଡିଟିଭିର ଆକଳନ ଅନୁସାରେ ୨୦୨୬ ଜନଗଣନା ରିପୋର୍ଟ ପରେ ଲୋକସଭାର ସିଟ ସଂଖ୍ୟା ୭୫୩ କୁ ବୃଦ୍ଧି ପାଇବ। କାର୍ନିଗ ଏଣ୍ଡାଓମେଣ୍ଟ ରିସର୍ଚ୍ଚ ଆଧାରରେ ଇଣ୍ଡିଆ ଟୁଡେ ଗ୍ରୁପର ଆକଳନ ଅନୁଯାୟୀ ଏହି ସଂଖ୍ୟା ୮୪୬ ହେବ। ଜନସଂଖ୍ୟା ବୃଦ୍ଧି ହୋଇଥିବା ରାଜ୍ୟ ମାନଙ୍କରେ ସିଟ ସଂଖ୍ୟା ବେଶୀ ବଢିବା ଦେଖାଯାଇଛି। ଉତ୍ତର ପ୍ରଦେଶର ଲୋକସଭା ଆସନ ସଂଖ୍ୟା ୮୦ ରହିଛି। ସୀମା ନିର୍ଦ୍ଧାରଣ ପରେ ଏନଡିଟିଭି ଅନୁଯାୟୀ ଏହି ସଂଖ୍ୟା ୧୨୮କୁ ବୃଦ୍ଧି ପାଇବ ବୋଲି ଦର୍ଶାଯାଇଛି। ଇଣ୍ଡିଆ ଟୁଡେ ଆକଳନ ଅନୁଯାୟୀ ଏହା ୧୪୩କୁ ବୃଦ୍ଧି ପାଇବ। ଏନଡିଟିଭି ଅନୁଯାୟୀ ୪୦ ଆସନ ବିଶିଷ୍ଟ ବିହାରରେ ସିଟ ସଂଖ୍ୟା ୭୦କୁ ବୃଦ୍ଧି ପାଇବ।

ଝାଡ଼ଖଣ୍ଡରେ ୧୪ରୁ ୨୨, ମଧ୍ୟପ୍ରଦେଶରେ ୨୯ରୁ ୪୭, ଛତିଶଗଡ଼ରେ ୧୧ରୁ ୧୬, ରାଜସ୍ଥାନରେ ୨୫ରୁ ୪୪କୁ ବୃଦ୍ଧି ପାଇବ। ମହାରାଷ୍ଟ୍ରରେ ସିଟ ସଂଖ୍ୟା ୪୮ରୁ ୬୮, ଗୁଜରାଟରେ ୨୬ରୁ ୩୯କୁ ବୃଦ୍ଧି ପାଇବ। ଇଣ୍ଡିଆ ଟୁଡେ ଗ୍ରୁପ ଆକଳ ଅନୁସାରେ ବିହାରରେ ସିଟ ସଂଖ୍ୟା ୭୯କୁ ବୃଦ୍ଧି ପାଇବ। ଝାଡ଼ଖଣ୍ଡରେ୨୪, ମଧ୍ୟପ୍ରଦେଶରେ ୫୨, ଛତିଶଗଡ଼ରେ ୧୯, ରାଜସ୍ଥାନରେ ୫୦ ବୃଦ୍ଧି ପାଇବ। ସେହିପରି ମହାରାଷ୍ଟ୍ରରେ ସିଟ ସଂଖ୍ୟା ୭୬, ଗୁଜରାଟରେ ୪୩କୁ ବୃଦ୍ଧି ପାଇବ। ସୀମା ପୁନଃ ନିର୍ଦ୍ଧାରଣ ପରେ ୨୦୧୯ରୁ ନିର୍ବାଚନରେ ମହିଳା ସଂରକ୍ଷଣ ଲାଗୁ ହେବ। ଅର୍ଥାତ ଲୋକସଭାର ଆସନର ଏକ ତୃତୀୟାଂଶ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ। ହିନ୍ଦୀ ହାର୍ଟଲାଣ୍ଡରେ ଅଧିକ ଆସନ ରହିଥିବାରୁ ଏଠାରେ ଆଗରେ ରହିବା ଦଳ କେନ୍ଦ୍ରରେ ସରକାର ଗଠନ କରିବା ସହଜ ହେବ ବୋଲ କୁହାଯାଇଛି।

ଲୋକସଭା ସହ ବିଧାନସଭାର ସୀମା ପୁନଃ ନିର୍ଦ୍ଧାରଣ ମଧ୍ୟ ହେବ। ଓଡ଼ିଶାରେ ଲୋକସଭା ସିଟ ସଂଖ୍ୟା ୨୧। ସୀମା ପୁନଃ ନିର୍ଦ୍ଧାରଣ ପରେ ଏନଡିଟିଭି ଆକଳନ ଅନୁଯାୟୀ ଏହି ସଂଖ୍ୟା ୨୪ ହେବ। ଇଣ୍ଡିଆ ଟୁଡେ ଆକଳନ ଅନୁସାରେ ସିଟ ସଂଖ୍ୟା ୨୮କୁ ବୃଦ୍ଧି ପାଇବ। ସେହି ଅନୁପାତରେ ବିଧାନସଭା ଆସନ ସଂଖ୍ଯା ୧୬୮ କିମ୍ବା ୧୯୬ ହେବା ସମ୍ଭାବନା ରହିଛି। ଏହା ପରେ ମହିଳା ସଂରକ୍ଷଣ ଦ୍ବାରା ବିଧାନସଭାରେ ମହିଳା ସଦସ୍ୟଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ। ଅର୍ଥାତ୨୦୨୯ ନିର୍ବାଚନ ପରେ ବିଧାନସଭାରେ ମହିଳା ସଦସ୍ଯଙ୍କ ସଂଖ୍ୟା ୫୬ କିମ୍ବା ୬୫କୁ ବୁଦ୍ଧି ପାଇବ।

ଦେଶରେ ପ୍ରତି ୧୦ବର୍ଷରେ ଥରେ ଜନଗଣନା ହୋଇଥାଏ। ଯଦି ୨୦୨୫ରେ ଜନଗଣନା ହେବ ତେବେ ପରବର୍ତ୍ତୀ ଜନଗଣନା ୨୦୩୫ରେ ହେବ। ୨୦୨୬ ସୁଦ୍ଧା ଜନଗଣନା ପ୍ରକ୍ରିୟା ଶେଷ ହେବା ସହ ୨୦୨୮ ସୁଦ୍ଧା ନିର୍ବାଚନ କ୍ଷେତ୍ର ସୀମା ପୁନଃନିର୍ଦ୍ଧାରଣ ହେବ। ୨୦୨୯ରେ ବର୍ଦ୍ଧିତ ଆସନ ସହ ଦେଶରେ ହେବ ନିର୍ବାଚନ। ସ୍ବାଧୀନ ଭାରତରେ ପ୍ରଥମ ଥର ପାଇଁ ଜନଗଣନା ୧୯୫୧ରେ ଅନୁଷ୍ଠିତ ହୋଇଥିଲା।

 

You might also like