ପୋଲାଭରମ ପ୍ରକଳ୍ପ ଚାଲୁ ରହିବା ପାଇଁ ଅନୁମତି ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଳୀ : କେନ୍ଦ୍ର ସରକାର ପୁଣି ଥରେ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ପୋଲାଭରମ ପ୍ରକଳ୍ପ କାମ ଆଉ ବର୍ଷକ ପାଇଁ ଚାଲୁ ରଖିବାକୁ ଅନୁମତି ଦେଇଛନ୍ତି । କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ପକ୍ଷରୁ ଷ୍ଟପ ୱାର୍କ ଅର୍ଡରକୁ ବର୍ଷକ ପାଇଁ ସ୍ଥଗିତ ରଖାଯାଇଛି । ଏଥିପାଇଁ କିଛି ସର୍ତ୍ତ ରହିଛି । ଆନ୍ଧ୍ରପ୍ରଦେଶର ଇନ୍ଦିରା ସାଗର ପୋଲାଭରମ ମଲଟି ପର୍ପୋଜ୍ ପ୍ରୋଜେକ୍ଟ ଉପରେ ଗତ ୨୦୧୧ ମସିହା ଫେବ୍ରୁଆରୀ ୮ରେ ଷ୍ଟପ୍ ୱାର୍କ ଅର୍ଡର ଦିଆଯାଇଥିଲା। ୨୦୧୫ ଜୁନ ୨୩ ତାରିଖରେ ବର୍ଷକ ପାଇଁ ଏହି ଅର୍ଡରକୁ ସ୍ଥଗିତ ରଖିବାକୁ ମନ୍ତ୍ରାଳୟ ନିଷ୍ପତ୍ତି ନେଇଥିଲା।

 

ପରବର୍ତ୍ତୀ ସମୟରେ ଲଗାତର ତିନି ବର୍ଷ ହେଲା ଏହି ସ୍ଥଗିତାଦେଶକୁ ଅବଧି ବଢ଼ାଯାଉଛି । ଏବେ ପୁଣି କେନ୍ଦ୍ର ସରକାର ଏହି ପ୍ରକଳ୍ପ କାମ ବନ୍ଦ ଆଦେଶକୁ ଆଉ ବର୍ଷକ ପାଇଁ ସ୍ଥଗିତ ରଖିଛନ୍ତି । ଅର୍ଥାତ ୨୦୧୯ ଫେବ୍ରୁଆରୀ ୨ ତାରିଖ ପର୍ୟ୍ୟନ୍ତ ପୋଲାଭରମ କାମ ଚାଲୁ ରଖିବାକୁ କେନ୍ଦ୍ର ସବୁଜ ସଂକେତ ଦେଇଛି। ଏ ସଂପର୍କରେ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଛତିଶଗଡ ଓ କେନ୍ଦ୍ର ଜଳ ସଂପଦ ବିଭାଗକୁ ଚିଠି ଲେଖି ଜଣାଇଛି କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ।

Polavaram

ପୋଲାଭରମ୍‌ ପ୍ରକଳ୍ପକୁ ନେଇ ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶା ମଧ୍ୟରେ ଲାଗି ରହିଛି ବିବାଦ । ଏବେ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି । ଗୋଦାବରୀ ନଦୀ ଉପରେ ନିର୍ମାଣାଧୀନ ଏହି ପ୍ରକଳ୍ପକୁ ବିରୋଧ କରି ଆସୁଛି ଓ଼ଡ଼ିଶା । ଡ୍ୟାମ୍‌ର ଉଚ୍ଚତାକୁ ନେଇ ଆପତ୍ତି ରହିଛି । ଓଡ଼ିଶା ସରକାରଙ୍କ ଯୁକ୍ତି, ପୋଲାଭରମ୍‌ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ମାଲକାନଗିରି ଜିଲ୍ଲାରେ ତଳି ଅଞ୍ଚଳ ଜଳମଗ୍ନ ହେବ । ବହୁ ଜମି ବୁଡ଼ିବ । ତେଣୁ ପ୍ରକଳ୍ପ କାମ ତୁରନ୍ତ ବନ୍ଦ କରିବାକୁ ପୂର୍ବରୁ କେନ୍ଦ୍ର ନିକଟରେ ଦାବି କରିଥିଲେ ରାଜ୍ୟ ସରକାର। ଏନେଇ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ପରିବେଶ ଓ ଜଂଗଲ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ସମୟରେ ଷ୍ଟପ ୱାର୍କ ଅର୍ଡର ସମ୍ପର୍କରେ ସ୍ଥଗିତାଦେଶ ନେଇ ଓଡ଼ିଶାକୁ ଅବଗତ କରାଯାଉ ନଥିବା ନେଇ ଅସନ୍ତୋଷ ଜଣାଇଥିଲେ । ଗୋଦାବରୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ ନିର୍ଦ୍ଦେଶକୁ ଉଲ୍ଲଂଘନ କରି ଏହି ପ୍ରକଳ୍ପ ନିର୍ମାଣ କରାଯାଉଥିବା ଅଭିଯୋଗ କରିଛି ଓଡ଼ିଶା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.