ଅପରେସନ ସିନ୍ଦୂରରେ ଅତିକମରେ ୧୦୦ ଆତଙ୍କୀବାଦୀ ମରିଛନ୍ତି, ସର୍ବଦଳୀୟ ବୈଠକରେ ସୂଚନା ଦେଲେ ପ୍ରତିରକ୍ଷା ମନ୍ତ୍ରୀ

ପହଲଗାମ୍ ଆକ୍ରମଣର ପ୍ରତି‌ଶୋଧ ନେଇଛି ଭାରତ । ମେ’ ୭ ତାରିଖରେ ଭାରତୀୟ ସେନାଙ୍କ ପକ୍ଷରୁ କରାଯାଇଥିବା ଅପରେସନ ସିନ୍ଦୂରରେ ପାକିସ୍ତାନର ଅନେକ ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରାଯାଇଛି । ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍ କରି ଧ୍ବଂସ କରାଯାଇଛି ।

ଅପରେସନ ସିନ୍ଦୂରରେ ଅତିକମରେ ୧୦୦ ଜଣ ଆତଙ୍କବାଦୀ ମରିଛନ୍ତି । ଆଜି ବସିଥିବା ସର୍ବଦଳୀୟ ବୈଠକରେ ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଅପରେସନ ସିନ୍ଦୂର ଜାରି ରହିଛି ବୋଲି ମଧ୍ୟ ସୂଚନା ମିଳିଛି ।

ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ବିରୋଧୀ ଦଳଗୁଡ଼ିକୁ ଏକତ୍ରିତ ହେବାକୁ ଅନୁରୋଧ କରିଛନ୍ତି । ଏହା ସହ ଭାରତ, ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିବା ସମୟରେ ସଶସ୍ତ୍ର ବାହିନୀର ବୀରତ୍ୱ ବିଷୟରେ ବିରୋଧୀ ଦଳଗୁଡ଼ିକୁ କୁହାଯାଇଛି ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର, କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ନିର୍ମଳା ସୀତାରମଣ ଯୋଗ ଦେଇଥିଲେ । ଏହାସହିତ ରାହୁଲ ଗାନ୍ଧି ଏବଂ ମଲ୍ଲିକାର୍ଜୁନ ଖାଡଗେ କଂଗ୍ରେସ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ବେଳେ, ତୃଣମୂଳ କଂଗ୍ରେସ ପକ୍ଷରୁ ସନ୍ଦୀପ ବନ୍ଦୋପାଧ୍ୟାୟ ଏବଂ ଡିଏମକେର ଟିଆର ବାଲୁ ବୈଠକରେ ଯୋଗ ଦେଇଥିଲେ । ତେବେ କଂଗ୍ରେସ ସରକାରଙ୍କ ସହିତ ରହିଛି ବୋଲି ଖଡଗେ କହିଛନ୍ତି ।

Also Read : ସିନ୍ଦୂର ପରେ ପାକିସ୍ତାନୀ ସର୍ଚ୍ଚ କରୁଛନ୍ତି ସୋଫିଆ କିଏ ଓ ତାଙ୍କ ଧର୍ମ କଣ