ଚାଷୀଙ୍କୁ ବୁଝାଇବାରେ କେନ୍ଦ୍ର ସରକାର ବିଫଳ, କେନ୍ଦ୍ରର ସଂଶୋଧନ ପ୍ରସ୍ତାବକୁ ଚାଷୀଙ୍କ ପ୍ରତ୍ୟାଖ୍ୟାନ

କେନ୍ୟୁଜ୍‌: ଆନ୍ଦୋଳନରତ ଚାଷୀଙ୍କୁ ବୁଝାଇବାରେ କେନ୍ଦ୍ର ସରକାର ପୁଣି ବିଫଳ ହୋଇଛନ୍ତି । କେନ୍ଦ୍ର ସରକାର ଦେଇଥିବା ସଂଶୋଧନ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଚାଷୀ । ଆଇନ୍‌ରେ ସଂଶୋଧନ ନୁହେଁ, ଆଇନ୍ ରଦ୍ଦ ଦାବିରେ ଚାଷୀ ଅଟଳ ରହିଛନ୍ତି । ଆନ୍ଦୋଳନକୁ ଆହୁରି ଜୋରଦାର କରିବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି । ଆସନ୍ତା ୧୨ ତାରିଖରେ ଦିଲ୍ଲୀ-ଜୟପୁର ରାଜପଥ ଅବରୋଧ କରିବେ । ୧୪ ତାରିଖରେ ଦେଶର ସମସ୍ତ ଜିଲ୍ଲା ମୁଖ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ବିଜେପି କାର୍ଯ୍ୟାଳୟ ଆଗରେ ମଧ୍ୟ ବିକ୍ଷୋଭ ହେବ । ୧୪ ତାରିଖରେ ଦିଲ୍ଲୀକୁ ସଂଯୋଗ କରୁଥିବା ସମସ୍ତ ରାଜପଥକୁ ଅବରୋଧ କରାଯିବ ବୋଲି କୃଷକ ସଂଗଠନ ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ କୃଷି ଆଇନ୍‌କୁ ନେଇ ରାଷ୍ଟ୍ରପତିଙ୍କୁ ଫେରାଦ ହୋଇଛନ୍ତି ବିରୋଧୀ । ୨୪ଟି ରାଜନୈତିକ ଦଳର ପ୍ରତିନିଧି ଭାବେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି ୫ ଜଣ ନେତା । ଶରଦ ପାଓ୍ଵାର, ସୀତାରାମ ୟେଚୁରୀ ପ୍ରମୁଖ ସାମିଲ ଥିବା ଏହି ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲ କହିଛନ୍ତି, ଏହି ତିନିଟି ବିଲ୍ କର୍ପୋରେଟଙ୍କୁ ଖୁସି କରିବାକୁ ଅଣାଯାଇଛି । ଯାହା ଚାଷୀମାନେ ବୁଝି ସାରିଛନ୍ତି । ସୀତାରାମ ୟେଚୁରୀ କହିଛନ୍ତି ଅଗଣତାନ୍ତ୍ରିକ ହିସାବରେ ବିଲ୍ ପାସ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.