କେନ୍ଦ୍ର ସରକାରଙ୍କ ଘୋଷଣା, ଝିଅଙ୍କ ବିବାହ ବୟସ ବୃଦ୍ଧି ନେଇ ଆସନ୍ତା ସପ୍ତାହରେ ଲୋକସଭାରେ ହେବ ନିଷ୍କତ୍ତି

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଝିଅଙ୍କ ବିବାହ ବୟସ ବୃଦ୍ଧି କରିବା ନେଇ ଲୋକସଭାରେ ବିଲ ଆଣିବାକୁ ଯାଉଛନ୍ତି । କେନ୍ଦ୍ର କ୍ୟାବିନେଟ ଏ ସଂକ୍ରାନ୍ତରେ ମଞ୍ଜୁର ଦେଇଛନ୍ତି । ଅର୍ଥାତ ଏବେ ଝିଅଙ୍କର ଆଇନତଃ ବିବାହ ବୟସ ୧୮ ବର୍ଷ ରହିଛି । ସରକାର ଏହାକୁ ବଢ଼ାଇ ୨୧ ବର୍ଷ କରିବା ପାଇଁ ବିଧେୟକ ଆଣିବାକୁ ଯାଉଛନ୍ତି । ଆଗାମୀ ସପ୍ତାହରେ ଏ ସଂକ୍ରାନ୍ତୀୟ ବିଧେୟକ ଲୋକସଭାରେ ଆସିବ ବୋଲି ଜଣାପଡ଼ିଛି । ଏଥିସହ ନିର୍ବାଚନ ସଂଶୋଧନ ବିଲ ମଧ୍ୟ ଲୋକସଭାରେ ଆସିପାରେ । କେନ୍ଦ୍ର ସରକାର ଆଗାମୀ ସପ୍ତାହରେ ଏହି ଦୁଇ ବିଲ ଲୋକସଭାରେ ଆଗତ କରିବେ ବୋଲି ଜଣାପଡ଼ିଛି ।

ଝିଅଙ୍କ ବିବାହ ବୟସ ବୃଦ୍ଧି ନେଇ ଆସୁଥିବା ବିଧେୟକର ନାମ ‘ବାଳ ବିବାହ ନିଷେଧ(ସଂଶୋଧନ) ବିଧେୟକ ୨୦୨୧’ (The ‘Prohibition of Child Marriage (Amendment) Bill, 2021) ରହିଛି । ଏହାଦ୍ୱାରା ବାଳ ବିବାହ ଅଧିନିୟମ ୨୦୦୬ ରେ ପରିବର୍ତ୍ତନ ହେବ ।

ଏହି ବିଲ୍‌ ଜରିଆରେ ଭାରତୀୟ ଇସାହି ବିବାହ ଅଧିନିୟମ,୧୮୭୨, ପାରସୀ ବିବାହ ଓ ତଲାକ ଅଧିନିୟମ ୧୯୩୬, ମୁସଲିମ ପର୍ସନାଲ ଲ(ଶରୀୟତ) ଆବେଦନ ଅଧିନିୟମ, ୧୯୩୭, ବିଶେଷ ବିବାହ ଅଧିନିୟମ, ୧୯୫୪, ହିନ୍ଦୁ ବିବାହ ଅଧିନିୟମ ୧୯୫୫,ବିଦେଶୀ ବିବାହ ଅଧିନିୟମ, ୧୯୬୯, ରେ ମଧ୍ୟ ପରିବର୍ତ୍ତନ କରାଯିବ ।

କାହିଁକି ଜରୁରୀ ଝିଅଙ୍କ ବିବାହ ବୟସ ୨୧ କରିବା

ଏ ସମ୍ପର୍କରେ ଜଣେ ଡାକ୍ତର କହିଛନ୍ତି ଯେ ଏହି ବିଲ ଦ୍ୱାରା ଅନେକ ଫାଇଦା ମିଳିବ । କାରଣ ଏହାଦ୍ୱାରା କମ୍‌ ବୟସ ବିବାହ ବନ୍ଦ ହେବ । ଏହାଦ୍ୱାରା ଝିଅଙ୍କ ଗର୍ଭ ଧାରଣ କରିବାର ବୟସ ମଧ୍ୟ ୨୧ ବର୍ଷ ପରେ ହିଁ ହେବ । ଯାହାଦ୍ୱାରା ଗର୍ଭଧାରଣରେ କମ୍‌ ଅସୁବିଧା ସୃଷ୍ଟି ହେବ ।  ଏହି ବିଧେୟକକୁ ବହୁ ମହିଳା ନେତ୍ରୀ ସ୍ୱାଗତ କରିଛନ୍ତି । ଏହାଦ୍ୱାରା ଝିଅମାନେ ବିବାହ ପୂର୍ବରୁ ପାଠ ପଢ଼ି ନିଜେ ସ୍ୱାବଲମ୍ବୀ ହୋଇ ପାରିବେ । ଯାହା ଫଳରେ ମହିଳାଙ୍କ ଉପରେ ଘରୋଇ ହିଂସା ମଧ୍ୟ ହ୍ରାସ ପାଇବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.