କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶ ପାଇଥିବା ଲାଟେରାଲ ଏଣ୍ଟ୍ରି ବିଜ୍ଞପ୍ତିକୁ ବାତିଲ କରାଯାଇଛି । ଶନିବାର ପ୍ରକାଶିତ ହୋଇଥିବା ଲାଟେରାଲ ଏଣ୍ଟ୍ରି ବିଜ୍ଞପ୍ତି ବାତିଲ କରିବାକୁ ୟୁପିଏସସି ଅଧ୍ୟକ୍ଷା ପ୍ରୀତି ସୁଦାନଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ସିଂ ।
UPSC ଅଗଷ୍ଟ ୧୭ ରେ ଏକ ବିଜ୍ଞାପନ ଜାରି କରିଥିଲା । ନୋଟିଫିକେସନ ମୁତାବକ, କେନ୍ଦ୍ର ସରକାରରେ କାମ କରୁଥିବା କୌଣସି କର୍ମଚାରୀ ଭର୍ତ୍ତି ପାଇଁ ଆବେଦନ କରିପାରିବେ ନାହିଁ । କିନ୍ତୁ ଯେଉଁମାନେ ରାଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ କାମ କରୁଥିବା କର୍ମଚାରୀ ସମାନ ପଦବୀରେ ନିଯୁକ୍ତ ରହିଛନ୍ତି, ସେମାନେ ଆବେଦନ କରିପାରିବେ । ଏହାସହିତ ପବ୍ଲିକ ସେକ୍ଟରରେ ଅଣ୍ଡରଟେକିଂ, ଅଟୋନମନ ବଡି, ୟୁନିଭରସିଟିଜ, ପ୍ରାଇଭେଟ କମ୍ପାନୀ, ଇଣ୍ଟରନ୍ୟାସନାଲ ଏବଂ ମଲ୍ଟି ନ୍ୟାସନାଲ କମ୍ପାନୀରେ କାମ କରୁଥିବା ଲୋକ ଆବେଦନ କରିପାରିବେ ।
ଏଥିପାଇଁ ଅନଲାଇନ ଆବେଦନ କରିବାକୁ ବିଜ୍ଞପ୍ତି ଜାରି ହୋଇଥିଲା । ଘରୋଇ କ୍ଷେତ୍ରରୁ ବିଶେଷଜ୍ଞଙ୍କୁ ସରକାରୀ କ୍ଷେତ୍ରରେ ନିଯୁକ୍ତି ଦେବା ଏହି ବିଜ୍ଞାପନର ଲକ୍ଷ୍ୟ ଥିଲା। ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଲାଟେରାଲ ଏଣ୍ଟ୍ରି ନିଯୁକ୍ତି ପ୍ରକ୍ରିୟାକୁ ପ୍ରଶ୍ନ କରିବା ସହ ଏଥିରେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗଙ୍କୁ ସଂରକ୍ଷଣ ମିଳୁନଥିବା ଅଭିଯୋଗ କରିଥିଲେ ।
ଏହାକୁ ନେଇ ସାରା ଦେଶରେ ବିବାଦ ସୃଷ୍ଟି ହୋଇଥିଲା । ଏହାକୁ ନେଇ ବିରୋଧୀ ଦଳମାନଙ୍କ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା । ତେବେ ଚାରିଆଡ଼ୁ ବିରୋଧ କରାଯିବା ପରେ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଲାଟେରାଲ ଏଣ୍ଟ୍ରି ବିଜ୍ଞପ୍ତିକୁ କେନ୍ଦ୍ର ସରକରା ପ୍ରତ୍ୟାହାର କରିନେଇଛନ୍ତି । ଏହି ବିଜ୍ଞପ୍ତିକୁ ରଦ୍ଦ କରିବାକୁ ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ଅଧ୍ୟକ୍ଷଙ୍କୁ କେନ୍ଦ୍ର ସରକାର ଚିଠି ଲେଖିଛନ୍ତି ।