ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗ: ସୁପ୍ରିମ କୋର୍ଟଙ୍କ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଗଠନ ହେବ ସ୍ୱାଧୀନ କମିଟି

କେନ୍ୟୁଜ୍(ବ୍ୟୁରୋ):ପଞ୍ଜାବ ଫିରୋଜପୁରରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟିର ତଦନ୍ତ ପାଇଁ ଗଠନ ହେବ ସ୍ୱାଧୀନ କମିଟି। ସୁପ୍ରିମ କୋର୍ଟଙ୍କ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ହେବ ତଦନ୍ତ। କମିଟିରେ ଚଣ୍ଡିଗଡ଼ ପୋଲିସ ଡିଜି, NIA-IG, ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ରେଜିଷ୍ଟ୍ରାର ଜେନେରାଲଙ୍କୁ ସାମିଲ କରିବାକୁ ପ୍ରସ୍ତାବ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏହା ସହ କେନ୍ଦ୍ର ସରକାର ଓ ପଞ୍ଜାବ ସରକାର ଆରମ୍ଭ କରିଥିବା ନିଜ ନିଜର ତଦନ୍ତକୁ ସ୍ଥଗିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନବିଚାରପତି ଏନଭି ରମଣା, ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍‌ ହିମା କୋହଲିଙ୍କ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କମିଟି ଗଠନ ପ୍ରକ୍ରିୟା ଖୁବ ଶୀଘ୍ର ଆରମ୍ଭ ହେବ ବୋଲି କହିଛନ୍ତି। ୫ ତାରିଖରେ କୃଷକ ସଂଗଠନର ରାଲି ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ଫିରୋଜପୁର ଠାରେ ଫ୍ଲାଏ ଓଭରରେ ୨୦ ମିନିଟ୍‌ ପାଇଁ ଫସି ଯାଇଥିଲା। ପରେ ରାଲିକୁ ନଯାଇ ଫେରି ଆସିଥିଲେ ପ୍ରଧାନମନ୍ତ୍ରୀ ଏହା ପରେ ପିଏମଙ୍କ ସୁରକ୍ଷାରେ ତ୍ରୁଟି ନେଇ ଆରମ୍ଭ ହୋଇଥିଲା ରାଜନୈତିକ ଆରୋପ ପ୍ରତ୍ୟାରୋପ ପର୍ବ। ସୁରକ୍ଷାରେ ବଡ଼ଧରଣର ତ୍ରୁଟି ପାଇଁ ଚନ୍ନି ସରକାରଙ୍କୁ କେନ୍ଦ୍ର ସରକାର ଦାୟୀ କରିଥିବା ବେଳେ ଏହାକୁ ନେଇ ରାଜନୀତି ନ କରିବାକୁ କହିଛନ୍ତି ପଞ୍ଜାବ ସରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.