ବୈବାହିକ ଦୁଷ୍କର୍ମ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲେ କେନ୍ଦ୍ର ସରକାର । ବିବାହିତା ମହିଳା ପୂର୍ବରୁ ହିଁ ସୁରକ୍ଷିତ ବୋଲି କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଜଣାଇଛନ୍ତି । ମାରିଟାଲ ରେପକୁ ଅପରାଧ ଭାବେ ବିବଚେନା କରିବା ପାଇଁ ଆବେଦନ ଉପରେ ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ।
ବୈବାହିକ ଦୁଷ୍କର୍ମ ଅଭିଯୋଗ ଆଇନଗତ ଅପେକ୍ଷା ସାମାଜିକ ସମସ୍ୟା ସୃଷ୍ଟି କରିବ ବୋଲି କେନ୍ଦ୍ର ସରକାର ଦର୍ଶାଇଛନ୍ତି । ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା ପାଇଁ ମତ ଦେଇଛନ୍ତି । ଭାରତରେ ବିବାହ ପରସ୍ପର ପ୍ରତି ଭରସା ଓ ବିଶ୍ୱାସର ପ୍ରତୀକ । ବିବାହ ପାଇଁ ନିଆଯାଉଥିବା ଶପଥ ଉଲ୍ଲଂଘନ କରିହେବ ନାହିଁ ବୋଲି ବିଶ୍ୱାସ କରାଯାଏ ।
ବୈବାହିକ ହିଂସା ପୀଡ଼ିତାଙ୍କ ସହାୟତା ପାଇଁ ବିଭିନ୍ନ ଆଇନଗତ ବ୍ୟବସ୍ଥା ଥିବାବେଳେ ବୈବାହିକ ଦୁଷ୍କର୍ମକୁ ଅପରାଧ ବିବେଚନା କରାଗଲେ, ଏହା ବିବାହ ଭଳି ଏକ ପବିତ୍ର ବନ୍ଧନକୁ ଅସ୍ଥିର କରିବ ବୋଲି କେନ୍ଦ୍ର ସରକାର ନିଜ ସତ୍ୟପାଠରେ ଦର୍ଶାଇଛନ୍ତି । ସେହିପରି ଯଦି ବୈବାହିକ ଦୁଷ୍କର୍ମକୁ ଅପରାଧ ବିବେଚନା କରାଯାଏ, ତେବେ ଏଥିପାଇଁ ନ୍ୟାୟାଳୟ ନୁହେଁ ସଂସଦରେ ନିୟମ ପ୍ରସ୍ତୁତ ହେବା ଉଚିତ ବୋଲି ସରକାର କହିଛନ୍ତି ।
ବୈବାହିକ ଦୁଷ୍କର୍ମ ଅଭିଯୋଗକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ବିଭାଜିତ ରାୟ ବିରୋଧରେ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଛି । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାରଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ନିକଟରେ ମାମଲାର ଶୁଣାଣି ଚାଲିଛି ।