ଆଇଆରଏସ୍ ଅଧିକାରୀଙ୍କୁ ନିଜ ନାମ ଏବଂ ଲିଙ୍ଗ ପରିବର୍ତ୍ତନ ପାଇଁ ଅନୁମତି ଦେଲେ ସରକାର

ହାଇଦ୍ରାବାଦ: ଆପଣ ଶୁଣିଥିବେ ଅନେକ ଲିଙ୍ଗ ଲୋକ ପରିବର୍ତ୍ତନ କରିବାକୁ ଚାହିଁଥାଆନ୍ତି ଏବଂ ସର୍ଜରୀ କରି ଏହା ମଧ୍ୟ କରିଥାଆନ୍ତି । କିଏ ମହିଳାଙ୍କ ଠାରୁ ପୁରୁଷ ହେବାକୁ ଚାହିଁଥାନ୍ତି ତ କିଏ ପୁରୁଷରୁ ମହିଳା ହେବା ପାଇଁ । ଆଜିକାଲି ଏହା ସହଜ ହୋଇଗଲାଣି । କିଏ ପ୍ରେମ ପାଇଁ ତ ଆଉ କିଏ ନିଜ ଖୁସି ପାଇଁ ଏଭଳି ଲିଙ୍ଗ ପରିବର୍ତ୍ତନ କରିଥାଆନ୍ତି । ବର୍ତ୍ତମାନ ମଧ୍ୟ ଏଭଳି ଏକ ଖବର ସାମ୍ନାକୁ ଆସିଛି । ଯାହା ଏବେ ଖୁବ୍ ଚର୍ଚ୍ଚା ସାଉଁଟୁଛି ।
ହାଇଦ୍ରାବାଦ ସ୍ଥିତ ଭାରତୀୟ ରାଜସ୍ୱ ସେବା (ଆଇଆରଏସ୍) ଅଧିକାରୀ ନିଜ ନାମ ଏବଂ ଲିଙ୍ଗ ପରିବର୍ତ୍ତନ ପାଇଁ ଅନୁରୋଧ କରିଥିଲେ । ଯାହାକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି । ଯାହା ସୂଚନା ମିଳିଛି କି, ହାଇଦ୍ରାବାଦରେ ଥିବା ମୁଖ୍ୟ କମିଶନର, କଷ୍ଟମ୍ସ ଏକ୍ସାଇଜ୍ ଏବଂ ସର୍ଭିସ ଟ୍ୟାକ୍ସ ଆପିଲେଟ ଟ୍ରିବ୍ୟୁନାଲରେ ବର୍ତ୍ତମାନ ଯୁଗ୍ମ କମିଶନର ଭାବରେ କାର୍ଯ୍ୟ କରୁଥିବା ଏମ୍ ଅନୁସୁୟା ନିଜର ନାମକୁ ଏମ୍ ଅନୁକଥୀର ସୂର୍ଯ୍ୟ କରିବା ସହିତ ମହିଳା ଠାରୁ ପୁରୁଷ ଲିଙ୍ଗ ପରିବର୍ତ୍ତନ ପାଇଁ ଅନୁରୋଧ କରିଥିଲେ ।
ତେବେ ଅର୍ଥ ମନ୍ତ୍ରଣାଳୟର ରାଜସ୍ୱ ବିଭାଗର ଜଣେ ଅଣ୍ଡର ସେକ୍ରେଟେରୀଙ୍କ ଦ୍ୱାରା ଦସ୍ତଖତ କରାଯାଇଥିବା ଏକ କାର୍ଯ୍ୟାଳୟ ଆଦେଶରେ କୁହାଯାଇଛି ଯେ, ଅନୁସୁୟାଙ୍କ ଅନୁରୋଧ ଗ୍ରହଣ କରାଯାଇଛି ଏବଂ ଅଧିକାରୀ ଜଣକ ବର୍ତ୍ତମାନଠାରୁ ସମସ୍ତ ସରକାରୀ ରେକର୍ଡରେ ଶ୍ରୀ ଏମ୍ ଅନୁକଥୀର ସୂର୍ଯ୍ୟ ଭାବରେ ମାନ୍ୟତା ପାଇବେ । ହାଇଦ୍ରାବାଦ ଏହି କ୍ଷେତ୍ରରେ ଅନେକ ଉଦାହରଣ ସୃଷ୍ଟି କରିଛି ।
ଜୁନ୍ ୨୦୧୫ରେ, ନ୍ୟାସନାଲ୍ ଏକାଡେମୀ ଅଫ୍ ଲିଗାଲ୍ ଷ୍ଟଡିଜ୍ ଆଣ୍ଡ ରିସର୍ଚ୍ଚ ବିଶ୍ୱବିଦ୍ୟାଳୟର ଜଣେ ବିଏ ଏଲଏଲବି ଆଇନ ଛାତ୍ର ଅନୁରୋଧ କରିଥିଲେ କି, ସ୍ନାତକୋତ୍ତର ପ୍ରମାଣପତ୍ରରେ ଲିଙ୍ଗ ପରିଚୟ ରହିବା ଉଚିତ୍ ନୁହେଁ । ‘Ms’ ପରିବର୍ତ୍ତେ ‘Mx’ ର ସମ୍ମାନଜନକ ଉପସର୍ଗ ପାଇଁ ଛାତ୍ରଙ୍କ ଅନୁରୋଧକୁ ବିଶ୍ୱବିଦ୍ୟାଳୟ ମାନି ନେଇଥିଲା । ଦେଶରେ ଲିଙ୍ଗଗତ ପରିବର୍ତ୍ତନ କ୍ଷେତ୍ରରେ ଏହା ଏକ ଛୋଟ ପଦକ୍ଷେପ ବୋଲି ଛାତ୍ର ଜଣକ କହିଥିଲେ।
ପ୍ରାୟ ସାତ ବର୍ଷ ପରେ, ମାର୍ଚ୍ଚ ୨୦୨୨ ରେ, ବିଶ୍ୱବିଦ୍ୟାଳୟ LGBTQ ଛାତ୍ରମାନଙ୍କ ରହିବା ପାଇଁ ଏକ ହଷ୍ଟେଲ ନିମର୍ମାଣ କରିଥିଲେ । ଗତ ବର୍ଷ ହାଇଦ୍ରାବାଦର ଇଏସଆଇ ହସ୍ପିଟାଲରେ ଏମଡି ଜରୁରୀକାଳୀନ ଚିକିତ୍ସା କାର୍ଯ୍ୟକ୍ରମରେ ଏକ ପଦବୀ ପାଇବା ପରେ ଡକ୍ଟର ରୁଥ ପଲ୍ ଜନ୍ ଦେଶରେ ପ୍ରଥମ ସ୍ନାତକୋତ୍ତର ହାସଲ କରିଥିବା ପ୍ରଥମ ଟ୍ରାନ୍ସଜେଣ୍ଡର ଡାକ୍ତର ହୋଇଥିଲେ । ତେବେ ଓସମାନିଆ ଜେନେରାଲ୍ ହସ୍ପିଟାଲ୍ ଏବଂ ସ୍ୱେଚ୍ଛାସେବୀ ସଂଗଠନର ସହଯୋଗରେ ଡକ୍ଟର ରୁଥ ଏହି କାର୍ଯ୍ୟକ୍ରମରେ ନାମ ଲେଖାଇବା ପାଇଁ ପାଣ୍ଠି ସଂଗ୍ରହ କରିଥିଲେ ।
ଗତ ଜୁଲାଇରେ ତେଲେଙ୍ଗାନା ସରକାର ଓସମାନିଆ ଜେନେରାଲ୍ ହସ୍ପିଟାଲରେ ପ୍ରଥମ ଟ୍ରାନ୍ସଜେଣ୍ଡର କ୍ଲିନିକ୍ ପ୍ରତିଷ୍ଠା କରିଥିଲେ ଏବଂ ସେଠାରେ ନିଯୁକ୍ତି ପାଇଥିବା ଡାକ୍ତରମାନଙ୍କୁ ସମ୍ବେଦନଶୀଳ ତାଲିମ ଦିଆଯାଇଥିଲା । ଚଳିତ ବର୍ଷ ଫେବୃଆରୀରେ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ୨୦୨୪-୨୫ ଶିକ୍ଷାବର୍ଷ ଆରମ୍ଭରେ ଏକ ଟ୍ରାନ୍ସଜେଣ୍ଡର ନୀତି ଘୋଷଣା କରିଥିଲା, ଏଭଳି ପଦକ୍ଷେପ କାର୍ଯ୍ୟକାରୀ କରିବାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପରେ ଏହା ଦ୍ୱିତୀୟ ବିଶ୍ୱବିଦ୍ୟାଳୟ ଥିଲା ।