୨୦୨୫ରୁ ଆରମ୍ଭ ହେବ ଦେଶର ଜନଗଣନା, ୧ ବର୍ଷ ସୁଦ୍ଧା ରିପୋର୍ଟ

କୋଭିଡ୍-୧୯ ପାଇଁ ଦୀର୍ଘ ସମୟ ଯାଏ ସ୍ଥଗିତ ରଖାଯାଇଥିବା ଭାରତର ଜନଗଣନା ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । ପ୍ରତି ୧୦ ବର୍ଷରେ ଥରେ ହେଉଥିବା ଜନଗଣନାକୁ ନେଇ ଆସିଛି ବଡ଼ ଅପଡେଟ୍ । ରିପୋର୍ଟ ମୁତାବକ, ୨୦୨୫ରେ ଜନଗଣନା ଆରମ୍ଭ ହେବ, ଯାହା ଆଗାମୀ ୧ ବର୍ଷ ଅର୍ଥାତ୍ ୨୦୨୬ ସୁଦ୍ଧା ସରିବ । ଏହା ପରେ ୧୦ ବର୍ଷରେ ହେବାକୁ ଥିବା ପରବର୍ତ୍ତୀ ଜନଗଣନା ୨୦୩୫ରେ ହେବ ।

ଶେଷ ଥର ଦେଶର ଜନଗଣନା ୨୦୧୧ ମସିହାରେ ହୋଇଥିଲା । ପ୍ରତି ୧୦ ବର୍ଷରେ ହେଉଥିବା ଜନଗଣନା ୧୯୯୧, ୨୦୦୧ ଏବଂ ୨୦୧୧ ପ୍ରକ୍ରିୟାରେ ଚାଲିଥିଲା । ଏହି ହିସାବରେ ୨୦୧୧ର ପରବର୍ତ୍ତୀ ଜନଗଣନା ୨୦୨୧ରେ ହେବାର ଥିଲା । କିନ୍ତୁ କୋଭିଡ୍ ମହାମାରୀ ଯୋଗୁ ଏହାକୁ ଟାଳିବାକୁ ପଡ଼ିଥିଲା । ବର୍ତ୍ତମାନ ୨୦୨୫ରେ ଜନଗଣନା ହେଲେ ଏହାର ଚକ୍ର ମଧ୍ୟ ବଦଳିବାକୁ ଯାଉଛି । ଅର୍ଥାତ୍ ୨୦୨୫ ପରେ ପରବର୍ତ୍ତୀ ଜନଗଣନା ଏବେ ୨୦୩୫, ୨୦୪୫ ଏବଂ ୨୦୫୫ରେ ହେବ ।

ଜନଗଣନା ଶେଷ ହେବା ପରେ ଲୋକସଭା ଆସନଗୁଡ଼ିକର ସୀମା ନିର୍ଦ୍ଧାରଣ ଆରମ୍ଭ ହେବ । ସୀମାଙ୍କନ ପ୍ରକ୍ରିୟା ୨୦୨୮ ସୁଦ୍ଧା ଶେଷ ହେବାର ସମ୍ଭାବନା ରହିଛି । ସେପଟେ ଅନେକ ବିରୋଧୀ ଦଳ ତରଫରୁ ଜାତିଗତ ଜନଗଣନା ପାଇଁ ମଧ୍ୟ ଦାବି କରାଯାଉଛି । କିନ୍ତୁ କେନ୍ଦ୍ର ସରକାର ଏହା ବିଷୟରେ ବର୍ତ୍ତମାନ କୌଣସି ନିଷ୍ପତ୍ତି ନେଇ ନାହାନ୍ତି ।

ବର୍ତ୍ତମାନ ଯାଏ ଦେଶର ଜନଗଣନାରେ ଧର୍ମ ଏବଂ ବର୍ଗ ପଚରାଯାଉଛି । ଏହା ସହିତ ସାଧାରଣ, ଅନୁସୂଚିତ ଜାତି ଓ ଜନଜାତିର ଗଣନା କରାଯାଉଛି । କିନ୍ତୁ ଏଥର ଲୋକଙ୍କୁ ସେମାନେ କେଉଁ ସମ୍ପ୍ରଦାୟର ଅନୁଗାମୀ ବୋଲି ପଚରା ଯାଇପାରେ । ତେବେ କେନ୍ଦ୍ର ସରକାର ବର୍ତ୍ତମାନ ଜନଗଣନା ସହିତ ଜାତିଗତ ଜନଗଣନା କରାଇବାକୁ ନେଇ ଔପଚାରିକ ଭାବେ କିଛି ନିଷ୍ପତ୍ତି ନେଇ ନାହାନ୍ତି ।

You might also like