ମଣିପୁରରେ ପୁଣି ବିଗୁଡ଼ୁଛି ସ୍ଥିତି । ରବିବାର ରାତିରେ ଉତ୍ତ୍ୟକ୍ତ ଲୋକ ଏବଂ ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷା ବାହିନୀ ଗୁଳି ଚାଳନା କରିଥିଲେ । ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିଲେ । ହିଂସାର ସଦ୍ୟତମ ଘଟଣାକୁ ନଜରରେ ରଖି କେନ୍ଦ୍ର ସରକାର ବର୍ତ୍ତମାନ ସିଏପିଏଫର ୫୦ ଅତିରିକ୍ତ କମ୍ପାନୀକୁ ମଣିପୁର ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି ।
ସୂତ୍ରରୁ ଜଣାପଡ଼ିଛି ଯେ କେନ୍ଦ୍ର ସରକାର ମଣିପୁରକୁ ସିଏପିଏଫର ୫୦ ଅତିରିକ୍ତ କମ୍ପାନୀ ପଠାଇବେ । ରାଜ୍ୟରେ ଚ୍ୟାଲେଞ୍ଜପୂର୍ଣ୍ଣ ସ୍ଥିତିକୁ ଏଡ଼ାଇବା ପାଇଁ ୫,୦୦୦ରୁ ଅଧିକ ଯବାନଙ୍କୁ ମୁତୟନ କରିବ କେନ୍ଦ୍ର । ଗୃହ ମନ୍ତ୍ରଣାଳୟ ଏହା ପୂର୍ବରୁ ଅର୍ଦ୍ଧ ସାମରିକ ବାହିନୀର ୨୦ଟି ଅତିରିକ୍ତ କମ୍ପାନୀ ମଣିପୁର ପଠାଇଥିଲା । ଏଥିରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ର ୧୫ ଏବଂ ସୀମା ସୁରକ୍ଷା ଫୋର୍ସ (ବିଏସଏଫ୍)ର ୫ କମ୍ପାନୀ ଅନ୍ତର୍ଭୁକ୍ତ ।
ଗତ ସୋମବାର ସିଆରପିଏଫ୍ ସହ ଭୀଷଣ ମୁକାବିଲାରେ ୧୧ ଜଣ ସନ୍ଦିଗ୍ଧ ଉଗ୍ରବାଦୀ ନିହତ ହୋଇଥିଲେ । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଉଗ୍ରବାଦୀମାନେ ସିଆରପିଏଫ୍ କ୍ୟାମ୍ପ୍ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ । ମଣିପୁରର ଜିରିବାମ ଜିଲ୍ଲା ଜାକୁରଧୋରରେ ବୋରୋବେକ୍ରା ଥାନା ଏବଂ ଏହା ସଂଲଗ୍ନ ସିଆରପିଏଫ୍ କ୍ୟାମ୍ପକୁ ଉଗ୍ରବାଦୀମାନେ ଟାର୍ଗେଟ୍ କରିଥିଲେ । ଏହି ସଂଘର୍ଷ ପରେ ସୁରକ୍ଷା ବାହିନୀ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଥିଲେ ।