ସ୍କୁଲ ପିଲା ପରି ଦଣ୍ଡ ଦେଲେ ସିଇଓ, ୨୦ ମିନିଟ ଛିଡ଼ା ହେଲେ କର୍ମଚାରୀ
ସ୍କୁଲ ପିଲା ଯେମିତି ଭୁଲ କଲେ ଶିକ୍ଷକ ତାଙ୍କୁ ଶ୍ରେଣୀ ଭିତରେ କିମ୍ବା ବାହାରେ ଛିଡ଼ା କରାଇ ଦେଉଥିଲେ ଠିକ୍ ସେହିଭଳି ଏକ ଅଫିସର କର୍ମଚାରୀଙ୍କୁ ଦିଆଯାଇଛି ଶାସ୍ତି । ନିଜ ଭୁଲ ପାଇଁ ୨୦ ମିନିଟ ଛିଡ଼ା ହେଲେ କର୍ମଚାରୀ । ଦିଲ୍ଲୀ ନୋଏଡା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ସ୍ଥିତି । ଭାଇରାଲ ହୋଇଥିବା ଭିଡିଓରେ ନୋଏଡା କର୍ତ୍ତୃପକ୍ଷଙ୍କ ରେସିଡେନ୍ସିଆଲ ପ୍ଲଟ୍ ଡିପାର୍ଟମେଣ୍ଟର ସମସ୍ତ କର୍ମଚାରୀ ସ୍କୁଲ ପିଲାଙ୍କ ପରି ଠିଆ ହୋଇଥିବା ଦେଖିବାକୁ ମିଳିଛି । ଅଫିସର ସିଇଓ ଏପରି ଦଣ୍ଡ ଦେଇଥିବା ଜଣା ପଡ଼ିଛି । ତେବେ ଆସନ୍ତୁ ଜାଣିବା ଏମିତି କଣ ହେଲା ଯେ ସିଇଓ ନିଜ କର୍ମଚାରୀମାନଙ୍କୁ ୨୦ ମିନିଟ୍ ଯାଏଁ ଛିଡା ହୋଇ କାମ କରିବାକୁ କହିଥିଲେ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ସଚ୍ଚିନ ଗୁପ୍ତା ନାମକ ଜଣେ ୟୁଜର ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି ।
ପ୍ରକୃତ କଥା ହେଉଛି, ଏହି ଅଫିସର କର୍ମଚାରୀମାନଙ୍କୁ ଏହାର ସିଇଓ ଆଇଏଏସ୍ ଡ. ଲୋକେଶ ଏମ୍ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ଯେ କାମ ପାଇଁ ଆସୁଥିବା ଲୋକଙ୍କୁ ବେଶି ସମୟ ଅପେକ୍ଷା କରାଇବ ନାହିଁ । ବିଶେଷ କରି ବରିଷ୍ଠ ନାଗରିକମାନଙ୍କୁ ଆଦୌ ଠିଆ କରାଇବ ନାହିଁ । ଏହା ସତ୍ତ୍ବେ ଗତ ସୋମବାର ଦିନ ଲୋକେଶଙ୍କ ନଜର ପଡ଼ିଲା ଯେ ଜଣେ ବରିଷ୍ଠ ନାଗରିକ ଅନେକ ସମୟ ଧରି କାଉଣ୍ଟରରେ ଛିଡ଼ା ହୋଇଛନ୍ତି । ତେଣୁ ଅତ୍ୟନ୍ତ ବିରକ୍ତ ହୋଇ ଅଫିସରେ ସେତେବେଳ ଥିବା ୧୬ ଜଣ କର୍ମଚାରୀଙ୍କୁ ପ୍ରଥମେ ଗାଳି ଦେଲେ ଆଉ ତାପରେ ଶାସ୍ତି ସ୍ବରୂପ ଠିଆ କରାଇ ଦେଲେ। ସେମାନଙ୍କୁ ଡ. ଲୋକେଶ କହିଥିଲେ ଯେ ତୁମେମାନେ ଠିଆ ହୋଇ କାମ କଲେ ଯାଇ ଏଠାକୁ କାମ ପାଇଁ ଆସୁଥିବା ଲୋକଙ୍କ କଷ୍ଟ ଠିକ୍ ଭାବରେ ବୁଝି ପାରିବ । ଏହି ଭିଡିଓ ଏବେ ସବୁଠି ଚର୍ଚ୍ଚା ଆଲୋଚନାର ବିଷୟ ହୋଇଛି ।
ତେବେ କାର୍ଯ୍ୟାଳୟ ଭିତରେ ଚାଲିଥିବା କାମ ଉପରେ ନଜର ରଖିବା ପାଇଁ ସିଇଓ ଅଫିସ ସାରା ସିସିଟିଭି କ୍ୟାମେରା ଲଗାଇଛନ୍ତି । ଏହାରି ଭିତରେ ଜଣେ ବୃଦ୍ଧ ଏକ ଘଣ୍ଟାରୁ ଅଧିକ ସମୟ ଧରି ନିଜ କାମ ପାଇଁ ଠିଆ ହୋଇଥିଲେ । କିନ୍ତୁ କର୍ମଚାରୀମାନେ ବୃଦ୍ଧଙ୍କ କାମ କରୁନଥିଲେ । ପରେ ସିଇଓ କର୍ମଚାରୀଙ୍କୁ ମେସେଜ ଦେଇଥିଲେ ଏବଂ ବୃଦ୍ଧଙ୍କ ସମସ୍ୟାର ସମାଧାନ କରିବାକୁ କହିଥିଲେ । କିନ୍ତୁ ତା ପରେ ବି କର୍ମଚାରୀ ବୃଦ୍ଧଙ୍କ ସମସ୍ୟାର ସମାଧାନ କରିପାରି ନଥିଲେ । କର୍ମଚାରୀଙ୍କ କାମରେ ଅସନ୍ତୁଷ୍ଟ ହୋଇଥିଲେ ସିଇଓ । ପରେ କାର୍ଯ୍ୟାଳୟରେ ପହଞ୍ଚି ଅଫିସରେ ଥିବା ସମସ୍ତ କର୍ମଚାରୀଙ୍କୁ ୨୦ ମିନିଟ ପର୍ଯ୍ୟନ୍ତ ଠିଆ ହୋଇ କାମ କରିବାକୁ କହିଥିଲେ ।
ସୂଚନା ଅନୁସାରେ ପ୍ରତିଦିନ ସେକ୍ଟରକୁ ୧୦୦୦ରୁ ଅଧିକ ଲୋକ ନିଜ କାମ ପାଇଁ ଆସନ୍ତି । କିନ୍ତୁ ଏଠାକାର କର୍ମଚାରୀ ଠିକ୍ ଭାବେ କାମ କରୁନଥିବା ଲୋକେ ଅଭିଯୋଗ କରନ୍ତି । ତେଣୁ କର୍ମଚାରୀଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ସିଇଓ ଏଭଳି ପଦକ୍ଷେପ ନେଇଛନ୍ତି । ଭାଇରାଲ ଭିଡିଓ ଦେଖିବା ପରେ ଅନେକ ୟୁଜର ନିଜର ପ୍ରତିକ୍ରିୟା ଦେଇଛନ୍ତି । ସିଇଓଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ୟୁଜର । ସରକାରୀ କାର୍ଯ୍ୟାଳୟରେ ଏମିତି କାର୍ଯ୍ୟାନୁଷ୍ଠାନ ନିଆଗଲେ ହିଁ କର୍ମଚାରୀମାନେ ସୁଧୁରିବେ ।