ୟୁପି ନିର୍ବାଚନ: ଗୋରଖପୁରରୁ ଯୋଗୀ ଆଦିତ୍ୟନାଥଙ୍କ ବିପକ୍ଷରେ ଲଢ଼ିବେ ଚନ୍ଦ୍ରଶେଖର ଆଜାଦ

ଆଜାଦ ସମାଜ ପାର୍ଟି ପ୍ରମୁଖ ଚନ୍ଦ୍ରଶେଖର ଆଜାଦ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି। ସିଏମ ଯୋଗୀଙ୍କୁ ବିଜେପି ଗୋରଖପୁର ସଦର ବିଧାନସଭା ଆସନରୁ ନିଜର ପ୍ରାର୍ଥୀ କରିଛି। ଏହାପୂର୍ବରୁ ଜାନୁଆରୀ ୧୮ରେ ନୋଏଡାରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଆଜାଦ କହିଥିଲେ ଯେ ଯଦି ତାଙ୍କ ଦଳ କହିବ ତ ସେ ସିଏମ ଯୋଗୀଙ୍କ ବିରୋଧରେ ନିର୍ବାଚନ ଲଢ଼ି ପାରିବେ। ଚନ୍ଦ୍ରଶେଖର ଆଜାଦ କହିଥିଲେ, ଆମ ଦଳ ରାଜ୍ୟରେ ଏକୁଟିଆ ହିଁ ନିର୍ବାଚନ ଲଢ଼ିବ। ଏହି ପରିପ୍ରେକ୍ଷୀରେ ସେ ୩୩ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ। ଆଜାଦ ଯେଉଁ ଆସନରେ ପ୍ରାର୍ଥୀ ଘୋଷଣା କରିଥିଲେ, ସେଥିରେ ସିରାଥୁ, ନୋଏଡା, ମେରଠ କ୍ୟାଣ୍ଟ, ଏତ୍‌ମାଦପୁର, ଗଙ୍ଗୋହ ଓ ହସ୍ତିନାପୁର ରହିଛି।

ଅଖିଳେଶଙ୍କ ସହ ମତଭେଦ

ଚନ୍ଦ୍ରଶେଖର ଆଜାଦ ପୂର୍ବରୁ ସମାଜବାଦୀ ପାର୍ଟି ସହ ମିଳିତ ଭାବେ ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ। ଯଦିଓ ଅଖିଳେଶଙ୍କ ସହ ଆସନକୁ ନେଇ ତାଙ୍କର ମତଭେଦ ଉପୁଜିଥିଲା, ଯାହା ପରେ ସେ ଏକୁଟିଆ ହିଁ ୟୁପି ଯୁଦ୍ଧରେ ଓହ୍ଲାଇବାକୁ ଘୋଷଣା କରିଥିଲେ। ଯେତେବେଳେ ଅଖିଳେଶ ଯାଦବ ନିଜକୁ ସାନ ଭାଇ ବୋଲି କହିଥିଲେ, ସେତେବେଳେ ଚନ୍ଦ୍ରଶେଖର ଆଜାଦ କହିଥିଲେ ଯେ ‘ମୁଁ ଜଣେ ଓକିଲ ଏବଂ ଶିକ୍ଷିତ। ଆମେ ସହଯୋଗ ଏବଂ କଟୁ ଭାଷା ବୁଝିପାରୁ’।

ଆଜାଦ କହିଛନ୍ତି ଯେ ତାଙ୍କ ଦଳ କିଛି ଲୋକଙ୍କ ସାମ୍ନାରେ ନିଜର ପ୍ରାର୍ଥୀ ଛିଡ଼ା କରେଇବ ନାହିଁ, ଯେଉଁଥିରେ ପ୍ରଗତିଶୀଳ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶିବପାଲ ସିଂ ଯାଦବ, ସୁହେଲଦେବ ଭାରତୀୟ ସମାଜ ପାର୍ଟି ମୁଖ୍ୟ ଓମ ପ୍ରକାଶ ରାଜଭର, ରାଷ୍ଟ୍ରୀୟ ଲୋକ ଦଳ ମୁଖ୍ୟ ଜୟନ୍ତ ଚୌଧୁରୀ ଓ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ନାମ ସାମିଲ ରହିଛି। ସେ କହିଥିଲେ କି, ଯଦି ଅଖିଳେଶ ଯାଦବ ନିର୍ବାଚନ ଲଢ଼ନ୍ତି, ତ ଦଳ ତାଙ୍କ ସାମ୍ନାରେ ପ୍ରାର୍ଥୀ ଦେବ ନାହିଁ।

କହି ରଖୁଛୁ କି, ଯୋଗୀ ଆଦିତ୍ୟନାଥ ମଧ୍ୟ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ସେ ୨୦୧୭ରେ ମୁଖ୍ୟମନ୍ତ୍ରୀ ହେବା ପର୍ଯ୍ୟନ୍ତ ଲୋକସଭା ସଦସ୍ୟ ଥିଲେ। ଯୋଗୀ ୧୯୯୮ରେ ପ୍ରଥମ ଥର ଗୋରଖପୁରରୁ ଲୋକସଭା ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। ସେ ଲଗାତାର ୫ ଥର ଗୋରଖପୁରରୁ ଲୋକସଭା ନିର୍ବାଚନ ଜିତିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ହେବା ପରେ ବିଧାନ ପରିଷଦର ରାସ୍ତା ବାଛିଲେ।

Leave A Reply

Your email address will not be published.