ଏହି ଦିନ ଖୋଲିବ ବଦ୍ରିନାଥ, କେଦାରନାଥ ଧାମର କପାଟ, ଖୁବ୍ ଶୀଘ୍ର ଆରମ୍ଭ ହେବ ଚାରିଧାମ ଯାତ୍ରା

ଉତ୍ତରାଖଣ୍ଡର ଚାରିଧାମ ଯାତ୍ରା ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଚଳିତ ବର୍ଷ ଏପ୍ରିଲ ୩୦ ତାରିଖ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଚାରିଧାମ ଯାତ୍ରା ଆରମ୍ଭ ହେବ । ଗତ ବର୍ଷ ପ୍ରାୟ ୧୧ ଲକ୍ଷ ଭକ୍ତ ବଦ୍ରିନାଥ ଦର୍ଶନ କରିଥିଲେ । ଏହିପରି ୧୩.୫ ଲକ୍ଷ ଶ୍ରଦ୍ଧାଳୁ କେଦାରନାଥ ଯାତ୍ରା କରିଥିଲେ । ଏଥର ଉତ୍ତରାଖଣ୍ଡର ଚାରିଧାମ ଗଙ୍ଗୋତ୍ରୀ, ଯମୁନୋତ୍ରୀ, କେଦାରନାଥ ଓ ବଦ୍ରିନାଥ ଧାମର କପାଟ ବହୁତ ଜଲଦି ଖୋଲିବାକୁ ଯାଉଛି ।
ଗତକାଲି ମାଘ ଶୁକ୍ଳପକ୍ଷ ପଞ୍ଚମୀ ଅର୍ଥାତ୍ ବସନ୍ତ ପଞ୍ଚମୀ ଦିନ ତେହେରୀର ନରେନ୍ଦ୍ର ନଗର ରାଜଦାରବାରରେ ପାରମ୍ପରିକ ବିଧି ଅନୁସାରେ ବଦ୍ରିନାଥ ଧାମର କପାଟ ଖୋଲିବାର ତାରିଖ ସ୍ଥିର କରାଯାଇଥିଲା । ନରେନ୍ଦ୍ର ନଗର ରାଜମହଲରେ ମହାରାଜା ମନୁ ଜୟନ୍ଦ୍ର ଶାହାଙ୍କ ଜନ୍ମ କୁଣ୍ଡଳୀ ଏବଂ ଗ୍ରହ ନକ୍ଷତ୍ରର ଗଣନା ଆଧାରରେ ରାଜ ପୁରୋହିତ ଆଚାର୍ଯ୍ୟ କୃଷ୍ଣ ପ୍ରସାଦ ଉନିୟାଲ ତାରିଖ ସ୍ଥିର କରିଥିଲେ । ଏହା ଅନୁସାରେ, ଆସନ୍ତା ମେ’ ୪ ତାରିଖ ସକାଳ ୬ଟାରେ ବଦ୍ରିନାଥ ଧାମର କପାଟ ଖୋଲାଯିବ ।
କପାଟ ଖୋଲିବା ପୂର୍ବରୁ ବଦ୍ରିନାଥ ଧାମ ପାଇଁ ଗାଡୁ ଘଡ଼ା ତେଲ କଳସ ଯାତ୍ରା ବାହାରିବ । ଏଥିପାଇଁ ଏପ୍ରିଲ ୨୨ ତାରିଖ ଧାର୍ଯ୍ୟ କରାଯାଇଛି । ବଦ୍ରିନାଥ ଧାମରେ ବହୁ ବର୍ଷ ଧରି ଚାଲିଆସୁଥିବା ଏହି ଅନନ୍ୟ ପରମ୍ପରାକୁ ଭକ୍ତମାନେ ଗୁରୁତ୍ୱପୂର୍ଣ୍ଣ ମନେ କରନ୍ତି । ସୂଚନାଯୋଗ୍ୟ, ଗତ ବର୍ଷ ବଦ୍ରିନାଥ ଧାମର କପାଟ ନଭେମ୍ବର ୧୭ ରାତି ୯ଟା ୦୭ ମିନିଟରେ ବନ୍ଦ କରାଯାଇଥିଲା ।
କେଦାରନାଥ ଧାମର କପାଟ ଖୋଲିବାର ତାରିଖ ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ଫେବୃୟାରୀ ୨୬ ମହାଶିବରାତ୍ରୀ ଦିନ ଉଖିମଠସ୍ଥିତ ଓଁକାରେଶ୍ୱର ମନ୍ଦିରରେ ପଞ୍ଚାଙ୍ଗ ଗଣନା ପରେ ଏହାର ତାରିଖ ସ୍ଥିର ହେବ । ଏପ୍ରିଲ ୩୦ ଅକ୍ଷୟ ତୃତୀୟା ଅବସରରେ ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଧାମର କପାଟ ବିଧିବଦ୍ଧ ଭାବରେ ଖୋଲାଯିବ ।
ଏହା ମଧ୍ୟ ପଢ଼ନ୍ତୁ: ମହାକୁମ୍ଭର ତୃତୀୟ ଶାହୀସ୍ନାନ ଆରମ୍ଭ, ସାଧୁସନ୍ଥଙ୍କ ଆଶୀର୍ବାଦ ନେବାକୁ ସଙ୍ଗମରେ ଶ୍ରଦ୍ଧାଳୁଙ୍କ ଭିଡ଼