ଆସନ୍ତାକାଲିଠୁ ଆରମ୍ଭ ହେଉଛି ଚାରିଧାମ ଯାତ୍ରା, ମୁଖ୍ୟମନ୍ତ୍ରୀ ଦେଲେ ସୂଚନା

ଆସନ୍ତାକାଲି ଅର୍ଥାତ୍‌ ସେପ୍ଟେମ୍ବର ୧୮ରୁ ଆରମ୍ଭ ହେଉଛି ଚାରିଧାମ ଯାତ୍ରା। ଏନେଇ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ସୂଚନା ଦେଇଛନ୍ତି। ତୀର୍ଥଯାତ୍ରା ଉପରେ ପ୍ରତିବନ୍ଧକ ହଟାଇବା ପାଇଁ ନୈନିତାଲ ଉଚ୍ଚ ନ୍ୟାୟାଳୟ ନିଷ୍ପତ୍ତି ନେବା ପରେ ରାଜ୍ୟ ସରକାର ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ଗୁରୁବାର ଦିନ ନୈନିତାଲ କୋର୍ଟ ଚାରିଧାମ ଯାତ୍ରା ଉପରୁ ପ୍ରତିବନ୍ଧକ ହଟାଇ ଦେଇଛନ୍ତି। ଯେଉଁମାନେ କରୋନା ଟିକାର ଦୁଇଟି ଡୋଜ୍‌ ନେଇଛନ୍ତି, ସେମାନେ ନେଗେଟିଭ୍‌ ରିପୋର୍ଟ ଦେଖାଇ ଯାତ୍ରାରେ ସାମିଲ ହୋଇପାରିବେ। ଯାତ୍ରା ବେଳେ କରୋନା ନିୟମ କଡ଼ାକଡ଼ି ପାଳନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆଗନ୍ତୁକଙ୍କ ସଂଖ୍ୟାକୁ ମଧ୍ୟ ସୀମିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

କୋର୍ଟ କହିଛନ୍ତି, ଚାରିଧାମ ମଧ୍ୟରୁ କେଦାରନାଥକୁ ପ୍ରତିଦିନ ୮୦୦ ଜଣ, ବଦ୍ରୀନାଥକୁ ୧୨୦୦, ଗଙ୍ଗୋତ୍ରୀକୁ ୬୦୦ ଓ ଯମୁନୋତ୍ରୀକୁ ୪୦୦ ଯାତ୍ରୀଙ୍କୁ ଦର୍ଶନ ଅନୁମତି ମିଳିବ। ଏଥିସହ ଯାତ୍ରୀଙ୍କୁ ମନ୍ଦିର ଆଖପାଖରେ ଥିବା ଝରଣାରେ ସ୍ନାନ କରିବାକୁ ଅନୁମତି ଦିଆଯାଇନାହିଁ। ଚାରିଧାମ ଯାତ୍ରା ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ଲୋକଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି କୋର୍ଟ ଯାତ୍ରା ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.