ସବୁଠୁ ଶସ୍ତା ଡାଇଗ୍ନୋସ୍ଟିକ୍ ସେଣ୍ଟର, ଯେଉଁଠି ମାତ୍ର ୫୦ ଟଙ୍କାରେ ହେଉଛି MRI

ସବୁଠୁ ଶସ୍ତା ଡାଇଗ୍ନୋସ୍ଟିକ୍ ସେଣ୍ଟର। ଯେଉଁଠି ମାତ୍ର ୫୦ ଟଙ୍କାରେ ହେଉଛି MRI । ଆଜ୍ଞା ହଁ ଠିକ୍ ଶୁଣିଲେ ମାତ୍ର ୫୦ ଟଙ୍କାରେ । ଆପଣଙ୍କୁ ଆଶ୍ଚର୍ଯ୍ଯ ଲାଗୁଥିଲେ ବି ଏହା ସତ। ଆଜିର ଏ ମହଙ୍ଗା ଯୁଗରେ ଯେଉଁଠି ୫୦ଟଙ୍କାରେ ଗୋଟେ ମିଲ୍ ଖାଇବାକୁ ମିଳିବା ବି କଷ୍ଟକର, ସେଠାରେ ଏଭଳି ଶସ୍ତାରେ, ପୁଣି ଡାଇଗ୍ନୋସ୍ଟିକ୍ ସେଣ୍ଟର ଖୋଲି ସେବା ଯୋଗାଇବା ନିହାତି ପ୍ରଶଂସନୀୟ । ଯାହା ଏଇ ଭାରତରେ ହିଁ ଉପଲବ୍ଧ।

ଦିଲ୍ଲୀ ଶିଖ ଗୁରୁଦ୍ୱାରା ପ୍ରବନ୍ଧନ ସମିତି DSGMC ଏହି ସେବା ଯୋଗାଇ ଦେଉଛି। DSGMC ଦ୍ବାରା, ଗୁରୁଦ୍ୱାରା ବାଂଲା ସାହିବରେ ସ୍ଥାପିତ ଏହି ଡାଇଗ୍ନୋସ୍ଟିକ୍ ସେଣ୍ଟରରେ ଓ୍ୱାଲ୍ଡ କ୍ଳାସ୍ ଜର୍ମାନ୍ ରୁ ଆସିଥିବା ସିମେନ୍ସ୍ ମେସିନରେ କେବଳ ୫୦ଟଙ୍କା ଏମଆରଆଇ ପରୀକ୍ଷା କରାଯାଉଛି। ଖାଲି ସେତିକି ନୁହେଁ ଏଠାରେ ଡିଜିଟାଲ୍ ଏକ୍ସରେ, ସିଟି ସ୍କାନିଙ୍ଗ୍,ଅଲଟ୍ରାସାଉଣ୍ଡ ଭଳି ଅର୍ଥ ବହୁଳ ପରୀକ୍ଷା ଖୁବ୍ କମ୍ ଟଙ୍କାରେ କରିବାର ସୁବିଧା ମଧ୍ଯ ରହିଛି ।

ତେବେ MRI ମେସିନ୍ ଛଡା ଗୁରୁଦ୍ୱାରା ପ୍ରାଙ୍ଗଣରେ ତିଆରି ହୋଇଥିବା ଗୁରୁ ହରକୃଷ୍ଣା ହସ୍ପିଟାଲରେ ଏକ ଡାଇଲେସିସ୍ ସେଣ୍ଟର ରହିଛି। ଯାହା କେବଳ ଡାଇଲେସିସ୍ ରୋଗୀଙ୍କ ସେବାରେ ସମର୍ପିତ। ସିରସା DSGMC ଅଧ୍ୟକ୍ଷ ମନଜିନ୍ଦର ସିଂହ କହିଛନ୍ତି, ଡାଇଲେସିସ୍ ପାଇଁ ମାତ୍ର ୬୦୦ ଟଙ୍କା ଖର୍ଚ୍ଚ ଦେବାକୁ ପଡିବ।ତେବେ ସଂସ୍ଥା ପକ୍ଷରୁ ମାନବ ଜଗତର ସେବା ପାଇଁ ପାଖାପାଖି ୬ କୋଟି ଟଙ୍କାର ଡାଇଗ୍ନୋସ୍ଟିକ୍ ମେସିନ୍ ହସ୍ପିଟାଲକୁ ଦାନ କରାଯାଇଛି।

ସୂଚନା ମୁତାବକ, ଏଥିରେ ୪ଟି ମେସିନ ସାମିଲ ରହିଛି। ଗୋଟିଏ ମେସିନ୍ ଡାଇଲେସିସ୍ ପାଇଁ, ଗୋଟିଏ ଅଲଟ୍ରାସାଉଣ୍ଡ, ଗୋଟିଏ
ଏକ୍ସରେ ଓ MRI ପାଇଁ ରହିଛି। ତେବେ ଯେଉଁଠି ଗୋଟେ MRI ପିଛା ୮୦୦୦ ପାଖାପାଖି ଟଙ୍କା ଖର୍ଚ୍ଚ ହେଉଛି ସେଇଠି, ଆବଶ୍ୟକୀୟଙ୍କ ପାଇଁ ମାତ୍ର ୫୦ ଟଙ୍କାରେ ଏହି ସୁବିଧା ଯୋଗାଇ ଦିଆଯାଉଛି। ଏଥିପାଇଁ ଡାକ୍ତରଙ୍କ ଏକ ଟିମ୍ ଗଠନ କରାଯାଇଛି। ଏହି ଟିମ୍ ନିର୍ଣ୍ଣୟ କରିବ କାହାକୁ ରିହାତି ମିଳିବ।

କଥାରେ ଅଛି ମାନବ ସେବା ହିଁ ପ୍ରକ୍ରୁତ ମାଧବ ସେବା। ଏଭଳି ଏକ ଜନହୀତକର ପଦକ୍ଷପ ନିହାତୀ ସାଧାରଣ ଲୋକଙ୍କ ପାଇଁ ଉପଯୋଗୀ ସାବ୍ଯସ୍ତ ହେଉଥିବା ଏଥିରେ ଦ୍ବନ୍ଦ ନାହିଁ।