ଆଜି ଛତିଶଗଡ଼ ପ୍ରଥମ ପର୍ଯ୍ଯାୟ ନିର୍ବାଚନ, ନିର୍ଦ୍ଧାରଣ ହେବ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ଭାଗ୍ଯ

ଛତିଶଗଡ଼ : ଆଜି ଛତିଶଗଡ଼ ପ୍ରଥମ ପର୍ଯ୍ଯାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ୯୦ଟି ବିଧାନସଭା ଆସନରୁ ୧୮ଟିରେ ସକାଳ ୭ଟାରୁ ଦିନ ୩ ପର୍ଯ୍ଯନ୍ତ ଭୋଟିଂ ହେବ । ଏହି ୧୮ଟି ବିଧାନସଭା ଆସନ ଭିତରେ ରହିଛି ରାଜନନ୍ଦଗାଓ ଜିଲ୍ଲାର ୬ଟି ଓ ମାଓ ଅଧ୍ୟୁଷିତ ବସ୍ତର ଅଞ୍ଚଳର ୧୨ଟି ବିଧାନସଭା କ୍ଷେତ୍ର । ନକ୍ସଲ ଅଧ୍ୟୁଷିତ ଏହି ଜିଲ୍ଲା ଗୁଡିକ ହେଲା ବସ୍ତର, ଦାନ୍ତେୱାଡା, କାଙ୍କେର, କୋଣ୍ଡାଗାଁଓ, ନାରାୟଣପୁର, ସୁକମା, ବିଜାପୁର ଓ ରାଜନନ୍ଦନଗାଁଓ । ମାଓ ଅଧ୍ୟୁଷିତ ଅଂଚଳ ହୋଇଥିବାରୁ ଅଧିକାଂଶ କେନ୍ଦ୍ର ସମ୍ବେଦନଶୀଳ କିମ୍ବା ଅତି ସମ୍ବେଦନଶୀଳ ଅଂଚଳ ଭାବେ ଘୋଷଣା କରାଯାଇଛି। ୩୧ଲକ୍ଷରୁ ଅଧିକ ଭୋଟର ମତଦାନ କରିବେ। ସୁରକ୍ଷା ଲାଗି ଦେଢ଼ ଲକ୍ଷରୁ ଅଧିକ ସୁରକ୍ଷା କର୍ମୀ ନିୟୋଜିତ ଅଛନ୍ତି।

ତେବେ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ସମେତ ୧୯୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଆଜି ନିର୍ଦ୍ଧାରଣ କରିବେ ଭୋଟର । ପ୍ରଥମ ପର୍ଯ୍ଯାୟରେ ରହିଛି ରମଣ ସିଂହଙ୍କ ଲୋକପ୍ରିୟତାର ଟେଷ୍ଟ। ୧୫ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଅଛନ୍ତି। ତାଙ୍କ ଶାସନ କାଳରେ ହୋଇଥିବା ବିକାଶ କାମର ପ୍ରଚାର କରିବାକୁ ସବୁ ଉଦ୍ୟମ କରିଛନ୍ତି। ସେ ରାଜନନ୍ଦଗାଁଓରୁ ଲଢୁଛନ୍ତି।

ରମଣ ସିଂହଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ଅଟଳ ବିହାରୀ ବାଜପେୟୀଙ୍କ ଝିଆରି କରୁଣା ଶୁକ୍ଳା । ପ୍ରାୟ ୩୦ ବର୍ଷ ହେବ କରୁଣା ବିଜେପିରେ ଥିଲେ। କିନ୍ତୁ ୨୦୧୩ରେ ଦଳ ଛାଡିଥିଲେ। ଛତିଶଗଡ଼ରେ କଂଗ୍ରେସ-ବିଜେପି ସହ ଅଜିତ ଯୋଗୀଙ୍କ ଜନତା କଂଗ୍ରେସ ଛତିଶଗଡ଼ ଜେସିସି ସହ ମଧ୍ୟ ଲଢେଇ ହେଉଛି। ଆଜି ପ୍ରଥମ ପର୍ଯ୍ଯାୟରେ ୧୮ଟି ଆସନ ପାଇଁ ଭୋଟିଂ ହେବ। ନଭେମ୍ବର ୨୦ ତାରିଖରେ ଆଉ ୭୨ଟି ଆସନରେ ହେବ ମତଦାନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.