ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ମାଓ ନେତା ବାସବରାଜୁ ସହ ୩୦ ନକ୍ସଲ ନିହତ

ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ସୁରକ୍ଷାବଳ ଏବଂ ନକ୍ସଲ ମଧ୍ୟରେ ଗୁଳି ବିନିମୟ ଜାରି । ଗୁଳି ବିନିମୟରେ ୩୦ ମାଓବାଦୀ ନିହତ ହୋଇଥିବା ଖବର ମିଳିଛି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲା  ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ବଡ଼ ମାଓ ଦମନ ଅପରେସନ୍ । ସୁରକ୍ଷାବାହିନୀକୁ ବଡ଼ ସଫଳତା ।  ମାଓବାଦୀଙ୍କ ଠାରୁ ଏକାଧିକ ବନ୍ଧୁକ ସହିତ ବିସ୍ଫୋରକ ଜବତ ହୋଇଛି ।

ଶେଷ ସୂତ୍ରରୁ ଖବର ପାଇ ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀମାନେ ଚଢ଼ାଉ କରିଛନ୍ତି । ମାଓ କ୍ୟାମ୍ପକୁ ପୁରା ଆମ୍ବୁସ ବିଛାଇଥିଲେ ସୁରକ୍ଷାକର୍ମୀ । ଯବାନଙ୍କ ଗୁଳିରେ ୩୦ ମାଓବାଦୀ ନିପାତ ହୋଇଛନ୍ତି । ଏନକାଉଣ୍ଟରରେ ଟପ୍ ମାଓ ନେତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମାଓ ନେତା ବାସବରାଜୁ ନିହତ ହୋଇଥିବା ଖବର ମିଳିଛି । ସେଣ୍ଟ୍ରାଲ କମିଟିର ମୁଖ୍ୟ ଥିଲା ବାସବରାଜୁ । ତାଙ୍କ ଉପରେ ୧.୫୦ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା । DRG ଜବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି। ଅପରେସନ ରେ ମାଓବାଦୀ ଗୁଳିରେ ଜଣେ ଯବାନ ଗୁରୁତର ହୋଇଛନ୍ତି ।

ବାସବରାଜୁଙ୍କୁ ଧରିବା ପାଇଁ ୧.୫ କୋଟି ପୁରସ୍କାର ଥିଲା । ୨୦୧୮ରୁ ମାଓ ସଙ୍ଗଠନର ମୁଖ୍ୟ ଦାୟିତ୍ୱ ନେଇଥିଲେ ବାସବରାଜୁ । ବାସବରାଜୁ ଓରଫ ନମ୍ବାଲା କେଶବ ରାଓ ୭ ବର୍ଷ ଧରି ସଙ୍ଗଠନ ଚଳାଉଥିଲେ । ମାଓ ମୁଖିଆ ତଥା ସଙ୍ଗଠନର ମହାସଚିବ ଭାବେ ଦାୟିତ୍ବ ତୁଲାଉଥିଲେ । ଗରେଲା ଯୁଦ୍ଧ, ମାଓ ଅପରେସନ୍‌ର ପରିଚାଳନା କରୁଥିଲେ ବାସବରାଜୁ । ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣର ବ୍ଲୁ-ପ୍ରିଣ୍ଟ୍‌ ପ୍ରସ୍ତୁତ କରୁଥିଲା ବାସବରାଜୁ । ଯବାନଙ୍କ ଏନକାଉଣ୍ଟରରେ ବାସବରାଜୁରେ ମୃତ୍ୟୁ ହୋଇଛି ।

୧୯୫୫ ମସିହାରେ ଜନ୍ମିତ ବାସବରାଜୁ ୧୯୭୦ ମସିହାରେ ସଂଗଠନରେ ଯୋଗ ଦେଇଥିଲେ। ୧୯୯୦ ମସିହାରେ ତାଙ୍କୁ ସଂଗଠନର କମାଣ୍ଡର ଭାବେ ପଦୋନ୍ନତି ମିଳିଥିଲା । ଇଞ୍ଜିନିୟରିଂ ପାସ୍‌ କରିଥିବା ବାସବରାଜୁ ୩୫ ବର୍ଷ ଧରି ୪ଟି ରାଜ୍ୟରେ ଲାଲ୍‌ ଆତଙ୍କ ଖେଳାଇଥିଲା । ଯୁଦ୍ଧକଳା ଓ ରଣନୀତି ପ୍ରସ୍ତୁତିରେ ନିପୁଣ ଥିବା ଏହି ଟପ୍ କ୍ୟାଡର୍‌ ନେତାଙ୍କୁ ୨୦୧୮ ମସିହାରେ ସଂଗଠନର କେନ୍ଦ୍ରୀୟ କମିଟି ମହାସଚିବ ଭାବେ ନିଯୁକ୍ତ କରାଯାଇଥିଲା । ୨୦୧୦ ମସିହାରେ ଦନ୍ତେଵାଡ଼ାରେ ସିଆର୍‌ପିଏଫ୍‌ ଯବାନଙ୍କ ଉପରେ ଆକ୍ରମଣ ଏବଂ ୨୦୧୩ ମସିହାରେ ଜିରମଘାଟି ହମଲାରେ ବାସବରାଜୁର ସିଧାସଳଖ ସଂପୃକ୍ତି ଥିଲା । ତତ୍କାଳୀନ ଛତିଶଗଡ଼ ରାଜ୍ୟ କଂଗ୍ରେସ ସଭାପତି ମହେନ୍ଦ୍ର କର୍ମା ଓ ୨୦୧୮ ମସିହାରେ ଟିଡିପି ବିଧାୟକ କେ. ସର୍ବେଶ୍ବର ରାଓଙ୍କ ହତ୍ୟା ଘଟଣାରେ ମଧ୍ୟ ସେ ସାମିଲ ଥିଲା ବୋଲି ଜଣାପଡ଼ିଛି ।

Also Read : ବଲୁଚିସ୍ତାନ ପ୍ରାନ୍ତରେ ସ୍କୁଲ ବସରେ ବିସ୍ଫୋରଣ, ୪ ପିଲା ମୃତ , ୩୮ ଆହତ