ବିରିୟାନୀରେ ମିଳିଲାନି ଚିକେନ୍ ଲେଗ୍ ପିସ୍ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର
ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା ଯେମିତି ପାରିଲା ପିଟି ଚାଲିଲା । ଚେୟାର ଟେବୁଲ୍ ଫୋପାଡ଼ି ଗଣ୍ଡଗୋଳରେ ମାତିଗଲେ ବରଯାତ୍ରୀ । ବିରିୟାନୀରେ ଚିକେନ୍ ଲେଗ୍ ପିସ୍ ନମିଳିବାରୁ ବର ପକ୍ଷ ଓ କନ୍ୟା ପକ୍ଷ ମଧ୍ୟରେ ହେଲା ତାଣ୍ଡବ । ବିବାହ ସମାରୋହରେ ମାରପିଟ ଏମିତି ହୋଇଥିଲା ଯେ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସାମାନ୍ୟ ଚିକେନ୍ ଲେଗ୍ ପିସକୁ ନେଇ ହୋଇଛି ଏମିତି ବଡ଼ ଧରଣର ଗଣ୍ଡଗୋଳ । ବରଯାତ୍ରୀମାନେ ବିବାହ ପାଇଁ ଆସିଥିଲେ କିନ୍ତୁ ବିରିୟାନିରେ ଚିକେନ ଲେଗ୍ ପିସ୍ ନମିଳିବାରୁ ଆରମ୍ଭ କରିଥିଲେ ବିବାଦ ।
ଏଭଳି ମାମଲା ଉତ୍ତରପ୍ରଦେଶର ବରେଲିର ନବାବଗଞ୍ଜ ପୋଲିସ ଥାନା ଅଞ୍ଚଳ ସରତାଜ ମ୍ୟାରେଜ୍ ହଲ୍ ର ବୋଲି ଜଣାପଡ଼ିଛି । ବିବାହ ସମୟରେ ବରଯାତ୍ରୀମାନେ ଭୋଜି ଖାଇବା ପାଇଁ ଯାଇଥିଲେ କିନ୍ତୁ ବିରିୟାନୀରେ ସେମାନଙ୍କୁ ଚିକେନ୍ ମିଳିନଥିଲା । ଏହି ଠାରୁ ଆରମ୍ଭ ହୋଇଥିଲା ବିବାଦ । ପ୍ରଥମେ କନ୍ୟା ପକ୍ଷର କିଛି ଲୋକ ବରଯାତ୍ରୀଙ୍କୁ କିଛି ଅପଶବ୍ଦ କହିଥିଲେ । ତେଣୁ ଯୁକ୍ତି ତର୍କ ଆରମ୍ଭ ହୋଇଥିଲା ପରେ ଏହା ବିବାଦର ରୂପ ନେଇଥିଲା । ଉଭୟ ପକ୍ଷ ମାରପିଟ କରିବା ଆରମ୍ଭ କରିଥିଲା । ଏହା ଦେଖି ବର ମଧ୍ୟ ମାରପିଟରେ ସାମିଲ ହୋଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ବର ପକ୍ଷ ବିବାହ ପାଇଁ ମନା କରିଦେଇଥିଲେ। କିନ୍ତୁ କନ୍ୟା ପକ୍ଷରୁ ବହୁ ସମୟ ବୁଝାସୁଝା ପରେ ଉଭୟ ପକ୍ଷ ମଧ୍ୟରେ ସମାଧାନ ହୋଇଥିଲା । ଏବଂ ବର କନ୍ୟାଙ୍କ ବିବାହ ହୋଇଥିଲା ।