ଚୀନରେ ସ୍ୱାସ୍ଥ୍ୟକର୍ମୀଙ୍କ ବର୍ବର କାଣ୍ଡ! କରୋନା ଭାଇରସ୍‌ ନିପାତ ପାଇଁ ଘରେ ପଶି କୁକୁରକୁ ରଡ୍‌ରେ ପିଟି ପିଟି ମାରିଦେଲେ

ଚୀନରେ କରୋନା ଭାଇରସ୍‌ ପୁଣିଥରେ କାୟା ବିସ୍ତାର କରିଛି। ଏହାରି ଭିତରେ ସ୍ୱାସ୍ଥ୍ୟକର୍ମୀମାନେ କୋଭିଡ୍‌ ପ୍ରୋଟୋକଲ ନାଁରେ ଏକ କୁକୁରକୁ ପିଟି ପିଟି ମାରି ଦେଇଛନ୍ତି। ଘର ଭିତରେ ପଶି ଏକ ପୋଷା କୁକୁରକୁ ସ୍ୱାସ୍ଥ୍ୟକର୍ମୀମାନେ ରଡ୍‌ରେ ପିଟି ହତ୍ୟା କରିଛନ୍ତି। ସେମାନେ ଯେଉଁ ସମୟରେ ଏହି କାଣ୍ଡ ଘଟାଇ ଥିଲେ, ସେହି ସମୟରେ ଘରର ମାଲିକାଣୀ କରୋନା ଆଇସୋଲେଶନରେ ଥିଲେ। ଏବେ ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଲୋକେ ଅନେକ ପ୍ରଶ୍ନ ଉଠାଇଛନ୍ତି। ରିପୋର୍ଟ ମୁତାବକ, ସ୍ୱାସ୍ଥ୍ୟକର୍ମୀମାନେ ଜିଆଙ୍ଗସି ପ୍ରଦେଶର ଶାଙ୍ଗରାବରେ ଜଣଙ୍କ ଘରେ ପଶି ତାଙ୍କ କୁକୁରକୁ ଲୁହା ରଡ୍‌ରେ ଅତର୍କିତ ଆକ୍ରମଣ କରିଥିଲେ। ଭାଇରାଲ ହେଉଥିବା ଭିଡିଓରେ ଦେଖା ଯାଉଛି କି, ପିପିଇ କିଟ୍‌ ପିନ୍ଧିଥିବା କିଛି ସ୍ୱାସ୍ଥ୍ୟକର୍ମୀ କୁକୁର ମୁଣ୍ଡକୁ ଆକ୍ରମଣ କରୁଛନ୍ତି।

କରୋନା ଲକ୍ଷଣ ଥିବା ସନ୍ଦେହରେ ହତ୍ୟା

ଯେଉଁ ସମୟରେ ଏହି ଘଟଣା ଘଟିଥିଲା, ସେହି ସମୟରେ କୁକୁରର ମାଲିକାଣୀ ଫୁ ଘରଠାରୁ ଦୂରରେ ଏକ ହୋଟେଲରେ ଆଇସୋଲେଶନରେ ରହୁଥିଲେ। ଯଦିଓ ତାଙ୍କ କୋଡିଭ୍‌ ରିପୋର୍ଟ ନେଗେଟିଭ୍‌ ଥିଲା, କିନ୍ତୁ ତାଙ୍କ କୁକୁରର ଟେଷ୍ଟ ହେବା ବାକି ରହିଥିଲା। ଖବର ମୁତାବକ, କୁକୁରଠାରେ କରୋନା ଲକ୍ଷଣ ଥିବା ସନ୍ଦେହରେ ତାକୁ ହତ୍ୟା କରାଯାଇଛି।

କୁକୁରର ମାଲିକାଣୀ ଫୁଙ୍କ ଆବାସୀୟ ପରିସରରେ କରୋନା ପଜିଟିଭ ମାମଲା ଥିବା ଜଣାପଡ଼ିବା ପରେ ତାଙ୍କୁ ଘର ଛାଡ଼ିବାକୁ ଆଦେଶ ଦିଆ ଯାଇଥିଲା। ସେ ଚାଲିଯିବାର କିଛି ହିଁ ଘଣ୍ଟା ଭିତରେ ଏହି ଘଟଣା ଘଟିଥିଲା। ସିସିଟିଭି ଫୁଟେଜରେ ଦେଖା ଯାଉଛି କି, ଦୁଇଜଣ ସ୍ୱାସ୍ଥ୍ୟକର୍ମୀ ଏକ ରଡ୍‌ ଏବଂ ପ୍ଲାଷ୍ଟିକ ବ୍ୟାଗ୍‌ ଧରି ତାଙ୍କ ଘର ଭିତରକୁ ପ୍ରବେଶ କରୁଛନ୍ତି। ସେମାନେ କୁକୁରକୁ ଖୋଜୁଛନ୍ତି, ଯିଏ କି ଟେବୁଲ ତଳେ ଲୁଚିକି ବସିଛି। ଏହାପରେ ସେମାନେ ତା’ ମୁଣ୍ଡକୁ ରଡ୍‌ରେ ଆକ୍ରମଣ କରୁଛନ୍ତି। କରୋନା ଭାଇରସ୍‌ଠୁ ବଞ୍ଚିବା ପାଇଁ ଚୀନର ଏଭଳି ବର୍ବରତା ଅତ୍ୟନ୍ତ କଠୋର ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

ଚୀନରେ ବଢ଼ୁଛି ସଂକ୍ରମଣ

ରିପୋର୍ଟ ଅନୁସାରେ, ଚୀନରେ ବଢ଼ୁଥିବା କରୋନା ସଂକ୍ରମଣ ଉପରେ ଅଙ୍କୁଶ ଲଗାଇବା ପାଇଁ ଅଧିକାରୀମାନେ ଚାପ ପକାଉଛନ୍ତି। ଡେଲ୍‌ଟା ଭେରିଏଣ୍ଟ ମଧ୍ୟ ଦ୍ରୁତ ଗତିରେ ବ୍ୟାପି ଚାଲିଛି। ଦେଶର ଦୁଇ ତୃତୀୟାଂଶ ଅଞ୍ଚଳରେ ଏ ପର୍ଯ୍ୟନ୍ତ ପାଖାପାଖି ୧,୩୦୦ ମାମଲା ରେକର୍ଡ କରାଯାଇଛି। ଯଦିଓ ଏବେ ସୁଦ୍ଧା ଏହା ସ୍ପଷ୍ଟ ହୋଇ ନାହିଁ କି, କୁକୁରକୁ ମାରିବା ପାଇଁ ସ୍ୱାସ୍ଥ୍ୟକର୍ମୀମାନଙ୍କୁ କିଏ ଆଦେଶ ଦେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.