ତାଲିବାନ ପାଇଁ ଚୀନ ଖୋଲି ଦେଲା ନିଜ ଧନାଗାର, ୩୧ ମିଲିୟନ ଆମେରିକୀୟ ଡଲାରର ସହାୟତା ଦେବ

ଆଫଗାନିସ୍ତାନରେ ୧୭ ଆତଙ୍କୀଙ୍କୁ ନେଇ ତାଲିବାନୀ ସରକାର ଗଠନ ହେବାର ୨୪ ଘଣ୍ଟା ଭିତରେ ହିଁ ଚୀନ ସହାୟତା ଦେବାକୁ ଘୋଷଣା କରିଛି। ଏଥିପାଇଁ ସେ ନିଜ ଧନାଗାର ଖୋଲି ଦେଇଛି। ଗତକାଲି ଚୀନ ଆଫଗାନର ନୂଆ ସରକାରଙ୍କ ପାଇଁ ୩୧ ମିଲିୟନ ଆମେରିକୀୟ ଡଲାରର ସହାୟତା ଘୋଷଣା କରିଛି। ଚୀନ ଯୁକ୍ତି ବାଢ଼ିଛି କି, ସେଠାରେ ଅରାଜକତା ଶେଷ କରିବାକୁ ଏବଂ ବ୍ୟବସ୍ଥା ପୁନଃରୁଦ୍ଧାର ପାଇଁ ଏହି ସହାୟତା ଜରୁରୀ। ସହାୟତାର ପ୍ରଥମ ପର୍ଯ୍ୟାୟରେ ଚୀନ ଆଫ୍‌ଗାନିସ୍ତାନକୁ ଖାଦ୍ୟଶସ୍ୟ, ଶୀତଦିନିଆ ଜିନିଷ, କରୋନା ଟିକା ଏବଂ ଆବଶ୍ୟକ ଔଷଧ ଯୋଗାଇ ଦେବ।

ପାକିସ୍ତାନ ଅଧ୍ୟକ୍ଷତାରେ ବୁଧବାର ହୋଇଥିବା ଏକ ବୈଠକରେ ଚୀନ ବୈଦେଶିକ ମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଏହି ବୈଠକରେ ଚୀନ, ପାକିସ୍ତାନ ବ୍ୟତୀତ ଇରାନ, ତଜାକିସ୍ତାନ, ତୁର୍କେମେନିସ୍ତାନ ଓ ଉଜ୍‌ବେକିସ୍ତାନର ବୈଦେଶିକ ମନ୍ତ୍ରୀମାନେ ଯୋଗ ଦେଇଥିଲେ। ଯଦିଓ ଏହି ବୈଠକରେ ରୁଷ ଭାଗ ନେଇ ନ ଥିଲା।

କହି ରଖୁଛୁ, ଆଫଗାନ ଦଖଲର ପ୍ରାୟ ୩ ସପ୍ତାହ ପରେ ତାଲିବାନ ମଙ୍ଗଳବାର ମଧ୍ୟକାଳୀନ ସରକାର ଘୋଷଣା କରିଥିଲା। ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦଙ୍କୁ ସରକାର ପ୍ରମୁଖ ଅର୍ଥାତ୍‌ ପ୍ରଧାନମନ୍ତ୍ରୀ ଏବଂ ଅବଦୁଲ ଗନୀ ବରାଦରଙ୍କୁ ଡେପୁଟୀ ବନାଯାଇଥିଲା। ସେହିପରି ହକ୍କାନୀ ନେଟ୍‌ଓ୍ଵାର୍କର ନେତା ସିରାଜୁଦ୍ଦୀନ୍‌ ହକ୍କାନୀଙ୍କୁ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଥିଲା।

ନିକଟରେ ତାଲିବାନ ଚୀନକୁ ନିଜର ସବୁଠାରୁ ମହତ୍ୱପୂର୍ଣ୍ଣ ଅଂଶୀଦାର ବୋଲି କହିଥିଲା। ଏଥି ସହିତ ତାଲିବାନ କହିଥିଲା କି, ସେ ଆଫଗାନିସ୍ତାନର ପୁନଃନିର୍ମାଣ ପାଇଁ ବେଜିଂ ଆଡ଼କୁ ଦେଖୁଛି।

Leave A Reply

Your email address will not be published.