ଦୀର୍ଘ ଦିନ ପରେ ପୁଣିଥରେ ହଲରେ ବସି ଦେଖିପାରିବେ ଫିଲ୍ମ, ୧୫ରୁ ଖୋଲିବ ସମସ୍ତ ସିନେମା ହଲ୍

ଫିଲ୍ମପ୍ରେମୀଙ୍କ ପାଇଁ ଖୁସି ଖବର। ଅକ୍ଟୋବର ୧୫ରୁ ଖୋଲିବାକୁ ଯାଉଛି ସିନେମା ହଲ୍। ଦେଶର ସମସ୍ତ ସିନେମା ହଲ ଓ ମଲ୍ଟିପ୍ଲେକ୍ସ ଚଳିତ ମାସରେ ଖୋଲିବାକୁ କେନ୍ଦ୍ର ସରକାର ଗ୍ରୀନ୍ ସିଗ୍ନାଲ ଦେଇଛନ୍ତି। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ଏନେଇ ସୂଚନା ଦେବା ଅବସରରେ କହିଛନ୍ତି ଗୃହ ମନ୍ତ୍ରାଳୟର ନିର୍ଣ୍ଣୟ ଅନୁସାରେ ସିନେମା ହଲ, ଥିଏଟର ଓ ମଲ୍ଟିପ୍ଲେକ୍ସ ୧୫ ଅକ୍ଟୋବରରୁ ଖୋଲିବାକୁ ଯାଉଛି।
ଜାଭେଦକର କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କ ପରାମର୍ଶ ପରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏସ୍ଓପି ଜାରି କରିଛନ୍ତି। ଏସ୍ଓପି ମୁତାବକ ସିନେମା ହଲ୍ରେ କେବଳ ୫୦ ପ୍ରତିଶତ ଲୋକଙ୍କୁ ବସିବାକୁ ଅନୁମତି ଦିଆଯିବ। ସାମାଜିକ ଦୂରତ୍ୱ ପାଳନ କରିବା ପାଇଁ ସିଟ୍ ମଧ୍ୟରେ ଦୂରତା ରକ୍ଷା କରାଯିବ। ସିନେମା ହଲ ଭିତରେ ଫେସ୍ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିବ। ସମସ୍ତ ସ୍ଥାନରେ ଟିକେଟ୍ ଅନ୍ଲାଇନ୍ରେ ବୁକିଂ କରିବାକୁ ପ୍ରୋତ୍ସାହିତ କରାଯିବ।
କେନ୍ଦ୍ର ମନ୍ତ୍ରୀ ଲୋକଙ୍କୁ ଅପିଲ କରି କହିଛନ୍ତି ୨ ଗଜ ଦୂରତାକୁ ସବୁବେଳେ ଧ୍ୟାନରେ ରଖନ୍ତୁ। ଗୋଟିଏ ଲେଖାଏଁ ସିଟ୍ ଛାଡ଼ି ବସନ୍ତୁ। ସୂଚନାଯୋଗ୍ୟ ଯେ ଏହି ନିୟମ କେନ୍ଦ୍ର ସରକାରଙ୍କ ତରଫରୁ ଜାରି କରାଯାଇଥିଲେ ମଧ୍ୟ ରାଜ୍ୟରେ ପାଳନ ହେବ କି ନାହିଁ ସେ ନିଷ୍ପତ୍ତି ରାଜ୍ୟ ସରକାର ନେବେ।