କଙ୍ଗନାଙ୍କୁ ଚାପୁଡ଼ା ମାରିଥିବା CISF ମହିଳା କନଷ୍ଟେବଳଙ୍କୁ ବେଙ୍ଗାଲୁରୁ ବଦଳି, ସ୍ୱାମୀଙ୍କର ମଧ୍ୟ ହେଲା ଟ୍ରାନ୍ସଫର୍
ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାଓ୍ଵତଙ୍କୁ ଚାପୁଡ଼ା ମାରିଥିବା ମହିଳା ସିଆଇଏସ୍ଏଫ୍ କନଷ୍ଟେବଳ କୁଲବିନ୍ଦର କୌରଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । କୌରଙ୍କ ସହ ତାଙ୍କ ସ୍ୱାମୀଙ୍କର ମଧ୍ୟ ଟ୍ରାନ୍ସଫର୍ ହୋଇଛି । ଚଣ୍ଡୀଗଡ଼ ବିମାନବନ୍ଦରରେ କଙ୍ଗନା ରାଣାଓ୍ଵତଙ୍କୁ ଚାପୁଡ଼ା ମାରିବା ଘଟଣା ପରେ କୁଲବିନ୍ଦର କୌରଙ୍କୁ ସସ୍ପେଣ୍ଡ କରାଯାଇଥିଲା । ବର୍ତ୍ତମାନ ତାଙ୍କୁ ପୁନଃ ଅବସ୍ଥାପିତ କରାଯାଇ ବେଙ୍ଗାଲୁରୁ ଟ୍ରାନ୍ସଫର କରି ଦିଆଯାଇଛି ।
କଙ୍ଗନାଙ୍କୁ ଚାପୁଡ଼ା ମାରିବା ପରେ କୌରଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା । ଏଥିରେ ସେ ଚାପୁଡ଼ା ମାରିବା ପଛର କାରଣ କହିଥିଲେ । କୁଲବିନ୍ଦର କୌର ଏହା କହିଥିଲେ ଯେ ‘କଙ୍ଗନା ବୟାନ ଦେଇଥିଲେ କି ୧୦୦-୧୦୦ ଟଙ୍କାରେ ମହିଳାମାନେ ଚାଷୀ ଆନ୍ଦୋଳନରେ ବସିଛନ୍ତି । ସେହି ସମୟରେ ମୋ ମା’ ଚାଷୀ ଆନ୍ଦୋଳନକୁ ଯାଉଥିଲେ’ ।
କଙ୍ଗନା ରାଣାଓ୍ଵତ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ବିଜୟ ହାସଲ କରିବା ପରେ ବର୍ତ୍ତମାନ ସାଂସଦ ହୋଇଛନ୍ତି । ସେଦିନ ଦ୍ୱିପ୍ରହରରେ କଙ୍ଗନା ଚଣ୍ଡୀଗଡ଼ ବିମାନବନ୍ଦରରୁ ଦିଲ୍ଲୀ ଯିବା ପାଇଁ ବାହାରିଥିଲେ । କିନ୍ତୁ ସିକ୍ୟୁରିଟି ଚେକ୍ ପରେ ହିଁ ତାଙ୍କ ସହିତ ଏଭଳି ଘଟଣା ଘଟିଥିଲା । ଘଟଣାର ଭିଡିଓ ଖୁବ୍ ଭାଇରାଲ ହୋଇଥିଲା ।
ଏଥିରେ ଦେଖାଯାଇଥିଲା କି, ଚାପୁଡ଼ା ଖାଇବା ପରେ କଙ୍ଗନା ରାଣାଓ୍ଵତ ବହୁତ ରାଗିଯାଇଥିଲେ । ସେ ମହିଳା କନଷ୍ଟେବଳଙ୍କ ସହ ମଧ୍ୟ ଯୁକ୍ତିତର୍କ କରିଥିଲେ । ଏହି ସମୟରେ ତାଙ୍କ ଟିମ୍ ମଝିରେ ପଶି କଙ୍ଗନାଙ୍କୁ ସୁରକ୍ଷା ଦେଉଥିବାର ଦେଖାଯାଇଥିଲା ।