‘ଟିକା ନାହିଁ ତ ଚାକିରି ନାହିଁ’, କର୍ମଚାରୀଙ୍କ ପାଇଁ ଏଭଳି ନିୟମ ଲାଗୁ କଲା ଏହି କମ୍ପାନୀ

କରୋନା ମହାମାରୀ ଏବେ ଭୀଷଣ ଭାବେ କାୟା ବିସ୍ତାର କରୁଥିଲେ ମଧ୍ୟ ଏବେ ବି କିଛି ଲୋକ ଅଛନ୍ତି ଯେଉଁମାନେ ଏହାକୁ ଗୁରୁତ୍ୱର ସହ ନେଉନାହାନ୍ତି। ଲୋକଙ୍କର ଏଭଳି ମନୋଭାବକୁ ଦୃଷ୍ଟିରେ ରଖି ଏକ କମ୍ପାନୀ ନିଜ କର୍ମଚାରୀଙ୍କ ପାଇଁ ନୂଆ ପଲିସି ବନାଇଛି। ଏହି ପଲିସି ଅନୁସାରେ, ଯେଉଁ କର୍ମଚାରୀ କରୋନା ଟିକା ନେବେ ନାହିଁ, ସେମାନଙ୍କୁ ଚାକିରିରୁ ବାହାର କରିଦିଆଯିବ।

ବ୍ୟାଙ୍କିଂ ସେକ୍ଟରରେ କାମ କରୁଥିବା Citigroup Inc. ନିଜ କର୍ମଚାରୀଙ୍କ ପାଇଁ ଟିକା ନାହିଁ ତ ଚାକିରି ନାହିଁ (No Jab, No Job) ପଲିସି ଲାଗୁ କରିଛି। ରିପୋର୍ଟ ମୁତାବକ, ସିଟି ଗ୍ରୁପ୍‌ର ଯେଉଁ କର୍ମଚାରୀ ୧୪ ଜାନୁଆରୀ ମଧ୍ୟରେ ଟିକା ନେବେ ନାହିଁ, କମ୍ପାନୀ ତାଙ୍କୁ ଚାକିରିରୁ ବାହାର କରି ଦେବ।

ସିଟି ଗ୍ରୁପ୍‌ ଗତବର୍ଷ ଏହି ପଲିସି ଲାଗୁ କରିବା ନେଇ ଘୋଷଣା କରିଥିଲା। କମ୍ପାନୀ ଅକ୍ଟୋବରରେ କହିଥିଲା, ଆମେରିକାରେ ତାଙ୍କ କମ୍ପାନୀରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କ ପାଇଁ କରୋନା ଟିକା ନେବା ଅନିବାର୍ଯ୍ୟ। ଏହା ତାଙ୍କ ଚାକିରିର ସର୍ତ୍ତଗୁଡ଼ିକ ମଧ୍ୟରୁ ଗୋଟିଏ। ତେବେ ବର୍ତ୍ତମାନ ଏହା ସ୍ପଷ୍ଟ ହୋଇନାହିଁ ଯେ କମ୍ପାନୀ ଅନ୍ୟ ଦେଶରେ ଏହି ପଲିସି ଲାଗୁ କରିବ କି ନାହିଁ।

ପୁଣିଥରେ ସବୁ ଅଫିସ ଖୋଲିବାକୁ ଚାଲିଛି ଯୋଜନା:

କରୋନା ମହାମାରୀ ମଧ୍ୟରେ ଏବେ ପୁଣିଥରେ ଅଫିସ ଖୋଲିବା ପାଇଁ ତଥା କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଅଫିସକୁ ଆଣିବା ଲାଗି କମ୍ପାନୀ କେତେକ ଉପାୟ ଆପଣାଉଛି। ବର୍ତ୍ତମାନ ସମୟରେ କରୋନା ଭାଇରସ୍‌ର ନୂଆ ଭ୍ୟାରିଏଣ୍ଟ ‘ଓମିକ୍ରନ୍‌’ର ସଂକ୍ରମଣ ବଢ଼ୁଛି। ଏହାର ସଂକ୍ରମଣ ହାର ବି ଅଧିକ ରହିଛି।