ସକାଳୁ କାମକୁ ଯାଉଥିଲେ ସଫେଇ କର୍ମଚାରୀ ଦମ୍ପତି; ସରକାରୀ ବସ୍‌ ଚକ ତଳେ ଚାପି ହୋଇ ଚାଲିଗଲା ଜୀବନ…ଥାନାରେ ଚାଳକଙ୍କ ଆତ୍ମସମର୍ପଣ

ତାମିଲନାଡ଼ୁର କୋଏମ୍ବଟୁରରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ କାମକୁ ଯାଉଥିବା ଏକ ଦମ୍ପତି ବସ୍‌ ଧକ୍କାରେ ପ୍ରାଣ ହରାଇଛନ୍ତି। ସରକାରୀ ବସ୍‌ ଚକ ତଳେ ଚାପି ହୋଇ ଦୁଇ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଏ ନେଇ ପୋଲିସ ସୂଚନା ଦେଇ କହିଛି ଯେ ଠିକା ଶ୍ରମିକ ଭାବେ କାମ କରୁଥିବା ଏହି ଦମ୍ପତି ନିଜ ସାଇକେଲରେ ଡ୍ୟୁଟିକୁ ଯାଉଥିଲେ। ଏହି ସମୟରେ ସହର ଉପକଣ୍ଠ ପୁଲୁଓ୍ଵାପଟ୍ଟି ପଞ୍ଚାୟତରେ ସକାଳ ପ୍ରାୟ ୫ଟା ୩୦ରେ ହଠାତ୍‌ ଦୁର୍ଘଟଣାର ଶିକାର ହୋଇଥିଲେ।

ସୂଚନା ମୁତାବକ, ଦମ୍ପତିଙ୍କ ନାଁ ରାଜେନ୍ଦ୍ରନ୍‌ ଓ ଦେବୀ। ବସ୍‌ ଧକ୍କା ଦେବା ପରେ ଦୁହେଁ ସାଇକେଲରୁ ପଡ଼ି ଯାଇଥିଲେ ଏବଂ ଘଟଣାସ୍ଥଳରେ ହିଁ ସେମାନଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ପୋଲିସ ପହଞ୍ଚି ମୃତଦେହଦ୍ୱୟ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ସରକାରୀ ହସ୍ପିଟାଲ ପଠାଇଛି।

ପୋଲିସ କହିଛି ଯେ ବସ୍ ଡ୍ରାଇଭରଙ୍କୁ ବୋଧହୁଏ ଜଣା ନ ଥିଲା କି, ସାଇକେଲକୁ ଧକ୍କା ଦେଇ ବସ୍‌ ଆଗକୁ ବଢ଼ି ଚାଲିଛି। ପରେ ବସ୍ ଡ୍ରାଇଭର କୁବେର ଥାନାରେ ଆତ୍ମସମର୍ପଣ କରିଥିଲେ। ଘଟଣାକୁ ନେଇ ମାମଲା ରୁଜୁ ହେବା ସହିତ ଅଧିକ ତଦନ୍ତ ଜାରି ରହିଛି।

ତାମିଲନାଡ଼ୁର ପୁନାମଲିରେ ମଧ୍ୟ ଘଟିଛି ସଡକ ଦୁର୍ଘଟଣା

ତାମିଲନାଡୁର ପୁନାମଲିରେ ମଧ୍ୟ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଜଣେ ମହିଳା ସଫ୍ଟୱେୟାର ଇଞ୍ଜିନିୟରଙ୍କର ଟ୍ରକ୍‌ ଧକ୍କାରେ ମୃତ୍ୟୁ ଘଟିଛି। ଏସ୍‌ ଶୋଭନା ନାମ୍ନୀ ଯୁବତୀ ଟ୍ରକ ଚକ ତଳେ ଫସିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣା ଚେନ୍ନାଇର ମଦୁରଭୋୟଲ ନିକଟ ପୁନାମଲିରେ ଘଟିଛି।

ପୋଲିସ କହିଛି ଯେ ରାସ୍ତାରେ ଏକ ବିରାଟ ଗର୍ତ୍ତ ଥିବା କାରଣରୁ ଯୁବତୀ ନିଜର ଦୁଇ ଚକିଆ ଯାନରୁ ନିୟନ୍ତ୍ରଣ ହରାଇ ବସିଥିଲେ। ଏହି ଦୁର୍ଘଟଣାରେ ତାଙ୍କ ସହିତ ଥିବା ତାଙ୍କ ଭାଇ ମଧ୍ୟ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଯେତେବେଳେ କି, ଯୁବତୀଙ୍କର ମୃତ୍ୟୁ ହୋଇଛି। ପୋଲିସର କହିବା ହେଲା, ଯୁବତୀ ଓ ତାଙ୍କ ଭାଇ କେହି ହେଲ୍‌ମେଟ ପିନ୍ଧି ନ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.