ହିମାଚଳରେ ପୁଣି ବାଦଲ ଫଟା ବର୍ଷା : ୧୩ ମୃତ, ଅନେକ ନିଖୋଜ

ହିମାଚଳ ପ୍ରଦେଶର ଶ୍ରୀଖଣ୍ଡ ନିକଟ ବାଗି ପୋଲ ନିକଟରେ ବାଦଲ ଫଟା ବର୍ଷାରେ ୪୫ ଜଣ ଲୋକ ଭାସିଯାଇଛନ୍ତି । ଏମାନଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କୁ ଉଦ୍ଧାର କରାଯାଉଛି । ଏନଡିଆରଏଫର ଟିମ୍‌ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି ।

ଏନଡିଆରଏଫ ଟିମ୍‌ ହିମାଚଳ ପ୍ରଦେଶର ବିଭିନ୍ନ ଅଞ୍ଚଳକୁ ପଠାଯାଇଛି । ଉଦ୍ଧାର କାର୍ଯ୍ୟରେ ବିଳମ୍ବ ନ ହେଉ ଏନଡିଆରଏଫ ଟିମ୍‌ ଚେଷ୍ଟା କରୁଛନ୍ତି । ତେବେ ଆଜି ସକାଳରେ ୧୩ ଜଣଙ୍କ ମୃତଦେହ ଉଦ୍ଧାର କରିଛି ଏନଡିଆରଏଫ ଟିମ୍‌ । ୧୦ ଜଣ ଏପର୍ଯ୍ୟନ୍ତ ନିଖୋଜ ରହିଛନ୍ତି ।

ତେବେ ପୂର୍ବରୁ ପାଣିପାଗ ବିଭାଗ ବର୍ଷା ହେବା ନେଇ ଆଲର୍ଟ ଜାରି କରିଥିଲା । ଗତ ୨୪ ଘଣ୍ଟାରେ ମଣ୍ଡି ଜିଲ୍ଲାର ଜୋଗିନ୍ଦର ନଗରରେ ୧୧୦ ମିମି ସହ ସବୁଠୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ଆଇଏମଡି ବିଳାସପୁର, ହମିରପୁର କାଙ୍ଗଡା, ଚମ୍ବା ଏବଂ ମଣ୍ଡିର ତଳିଆ ଅଞ୍ଚଳ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ।

ହିମାଚଳର କୁଲୁ-ମନାଲୀ ଓ ଲାହୌଲ-ସ୍ପିତିରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଥିଲା । ଏଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ନିଖୋଜ ଥିଲେ । ଗତକାଲି ମଣ୍ଡି ଓ ଶିମ୍‌ଲା ଜିଲ୍ଲାରେ ୪ଟି ମୃତଦେହ ମିଳିଥିଲା । ୩୧ ତାରିଖ ରାତିରେ କୁଲୁର ନିରମଣ୍ଡ, ସୈଞ୍ଜ, ମଲାଣା, ମଣ୍ଡି ଜିଲ୍ଲାର ପଧର ଓ ଶିମ୍‌ଲାର ରାମପୁରରେ ବାଦଲ ଫଟା ବର୍ଷା ବିନାଶର ତାଣ୍ଡବ ରଚିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.