ଦିଲ୍ଲୀ ମଦ ଦୁର୍ନୀତି: ଏବେ ତିହାର ଜେଲ୍‌ରେ ହିଁ ରହିବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ, ହାଇକୋର୍ଟରୁ ମିଳିଲାନି ଜାମିନ୍‌

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଜାମିନ୍‌ ଉପରେ ରୋକ୍‌ ଲଗାଇଛନ୍ତି ହାଇକୋର୍ଟ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇ କେଜ୍ରିଓ୍ଵାଲଙ୍କ ଜାମିନ୍‌ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି । କୋର୍ଟଙ୍କର ଏହି ନିଷ୍ପତ୍ତି ପରେ କେଜ୍ରିଓ୍ଵାଲ ବର୍ତ୍ତମାନ ତିହାର ଜେଲ୍‌ରେ ହିଁ ରହିବେ ।

ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ କେଜ୍ରିଓ୍ଵାଲଙ୍କ ଜାମିନ୍‌ ଉପରେ ଲାଗିଥିବା ରୋକ୍‌ ଏବେ ଜାରି ରହିବ । ଇଡି ତାଙ୍କ ଜାମିନ୍‌ ରଦ୍ଦ କରିବା ବିରୋଧରେ ହାଇକୋର୍ଟରେ ଆବେଦନ ଦାଖଲ କରିଥିଲା, ଯାହା ଉପରେ ହାଇକୋର୍ଟ ଶୁଣାଣି ଶେଷ ହେବା ପର୍ଯ୍ୟନ୍ତ ଜାମିନ୍‌ ଉପରେ ସ୍ଥଗିତାଦେଶ ଜାରି ନେଇ ନିଷ୍ପତ୍ତି ଶୁଣାଇଛନ୍ତି ।

ହାଇକୋର୍ଟଙ୍କ ଜଷ୍ଟିସ୍‌ ସୁଧୀର କୁମାର ଜୈନଙ୍କ ଏକକ ପୀଠ ଆଜି ମାମଲାର ଶୁଣାଣି କରି ନିଷ୍ପତ୍ତି ଶୁଣାଇଛନ୍ତି । କହି ରଖୁଛୁ, କେଜ୍ରିୱାଲଙ୍କୁ ଜୁନ୍ ୨୦ରେ ନିମ୍ନ ଅଦାଲତ ଜାମିନ ପ୍ରଦାନ କରିଥିଲେ, ଏହାପରେ ଇଡି ଏହି ଜାମିନ ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ଆବେଦନ କରିଥିଲା ଏବଂ ଜାମିନ ରଦ୍ଦ କରିବାକୁ ଦାବି କରିଥିଲା । ଜୁନ୍ ୨୧ରେ ଦିଲ୍ଲୀ ହାଇକୋର୍ଟ କେଜ୍ରିୱାଲଙ୍କ ଜାମିନରେ ଅନ୍ତରୀଣ ରୋକ୍‌ ଲଗାଇଥିଲେ ଏବଂ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ ।

ସୂଚନାଯୋଗ୍ୟ, କୋର୍ଟ ଗତ ମେ’ ୧୦ରେ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ନିର୍ବାଚନ ପ୍ରଚାର ପାଇଁ ୨୧ ଦିନର ମଧ୍ୟବର୍ତ୍ତୀକାଳୀନ ଜାମିନରେ ମୁକ୍ତ କରିଥିଲେ । ତାଙ୍କ ଜାମିନ ଜୁନ୍‌ ୨ରେ ଶେଷ ହୋଇଥିବା ବେଳେ ପୁଣି ତାଙ୍କୁ ତିହାର ଜେଲ୍‌ ଫେରିବାକୁ ପଡ଼ିଥିଲା । ଏହାପୂର୍ବରୁ କେଜ୍ରିୱାଲ ତାଙ୍କ ସ୍ୱାସ୍ଥ୍ୟ ଖରାପ ଏବଂ ମେଡିକାଲ ଟେଷ୍ଟକୁ ଦର୍ଶାଇ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ଆହୁରି ୭ ଦିନ ବଢ଼ାଇବାକୁ ଅନୁରୋଧ କରିଥିଲେ । ଏହି ଆବେଦନ ଉପରେ କୋର୍ଟରେ ଶୁଣାଣି ହୋଇଥିଲା । କେଜ୍ରିୱାଲଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ବଢ଼ାଇବାକୁ ଇଡି ବିରୋଧ କରିଥିଲା ।

ଦିଲ୍ଲୀ ମଦ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଇଡି ବାରମ୍ବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ଜାରି କରିଥିଲା । ନବମ ଥର ଲାଗି ଇଡି ସମନକୁ ପ୍ରତ୍ୟାଖ୍ୟାନ କରିବା ପରେ ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡି । ଦିଲ୍ଲୀ ମଦ ନୀତି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଛନ୍ତି ଅରବିନ୍ଦ କେଜ୍ରିୱାଲ । ମାର୍ଚ୍ଚ ୨୧ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କୁ ଗିରଫ କରିଥିଲା । ଏହାପରଠୁ ସେ ତିହାର ଜେଲରେ ଅଛନ୍ତି । ଲୋକସଭା ନିର୍ବାଚନ ସମୟରେ କେଜ୍ରିୱାଲ ତାଙ୍କ ଅନ୍ତରୀଣ ଜାମିନ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଏବଂ ଅଦାଲତ ତାଙ୍କୁ ମେ’ ୧୦ରୁ ଜୁନ ୨ ପର୍ଯ୍ୟନ୍ତ ଜାମିନ ଦେଇଥିଲେ ।

You might also like