ମୁମ୍ବାଇବାସୀ ରୁହନ୍ତୁ ସାବଧାନ ! ଆବଶ୍ୟକ ହେଲେ ଘରୁ ବାହାରନ୍ତୁ, ମୁଖ୍ୟମନ୍ତ୍ରୀ ସିନ୍ଦେ ଲୋକଙ୍କୁ କଲେ ଅପିଲ୍

୬ ଘଣ୍ଟା ଲଗାଣ ବର୍ଷାରେ ବେହାଲ ହୋଇଛି ମାୟାନଗରୀ ମୁମ୍ବାଇ । ସ୍ଥାନେ ସ୍ଥାନେ ନଈ ପାଲଟି ଯାଇଛି ରାସ୍ତା । ମଲାଡ଼ ସବ୍ୱେରୁ ଆସିଛି ସବୁଠୁ ଭୟଙ୍କର ଚିତ୍ର । ସବ୍ୱେରେ ପାଣି ଭରିଯିବା ଦ୍ୱାରା ଏକ କାର୍ ବୁଡ଼ି ଯାଇଛି । ତେବେ ଆଶ୍ୱସ୍ତିକର କଥା ଯେ କାର୍ ଭିତରେ ୪ ଜଣ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରି ନିଆଯାଇଛି । ଏହା ବ୍ୟତୀତ ମୁମ୍ବାଇରେ ଉଚ୍ଚ ଜୁଆରକୁ ନେଇ ମଧ୍ୟ ହାଇଆଲର୍ଟ ଜାରି କରାଯାଇଛି ।
ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବିପର୍ଯ୍ୟୟ ପରିଚାଳନା ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆବଶ୍ୟକ ହେଲେ ଘରୁ ବାହାରିବାକୁ ସିଏମ୍ ସିନ୍ଦେ ଲୋକଙ୍କୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ ମୁମ୍ବାଇରେ ସବୁ ଜାଗାରେ ପ୍ରବଳ ବର୍ଷା ଯୋଗୁ ବିପର୍ଯ୍ୟୟ ସୃଷ୍ଟି ହୋଇଛି । ରାସ୍ତା ଜାମ୍ ହେବା ସହ ରେଳ ଲାଇନ୍ରେ ମଧ୍ୟ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ରେଳ ପ୍ରଶାସନ ତରଫରୁ ଟ୍ରାକ୍ରୁ ପାଣି ବାହାର କରିବା କାମ ଜାରି ରହିଛି । ବହୁତ ଜଲ୍ଦି ଯାତାୟାତ ସ୍ୱାଭାବିକ କରିବାକୁ ଚେଷ୍ଟା କରାଯାଉଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ମୁଁ ସମସ୍ତ ଜରୁରୀକାଳୀନ ଏଜେନ୍ସିକୁ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛି । ମୁମ୍ବାଇ ନଗର ନିଗମ, ପୋଲିସ ପ୍ରଶାସନ ଏବଂ ଜରୁରୀକାଳୀନ ସେବାକୁ ସହଯୋଗ କରିବାକୁ ଅପିଲ୍ କରୁଛି’ ।
ସେପଟେ ହାଇଟାଇଡ୍ ସମୟରେ ଯେପରି କୌଣସି ଅଘଟଣ ନ ଘଟେ, ସେଥିପାଇଁ ମେରାଇନ୍ ଡ୍ରାଇଭ୍ ଅଞ୍ଚଳକୁ ଆସିବାକୁ ଲୋକଙ୍କୁ ବାରଣ କରାଯାଇଛି । ହାଇଟାଇଡ୍ ବେଳେ ସମୁଦ୍ରରୁ ୪.୪୦ ମିଟର ଯାଏ ଉଚ୍ଚ ଜୁଆର ଉଠିପାରେ । ରାତି ୧ଟା ୪୧ ମିନିଟ୍ରେ ୩.୭୮ ମିଟରର ଜୁଆର ଉଠିବାର ସମ୍ଭାବନା ରହିଛି । ଆଜି ରାତି ୮ଟା ୩ ମିନିଟ୍ରେ ଲୋ ଟାଇଡ୍ ରହିବ । ଏହି ସମୟରେ ସମୁଦ୍ର ଜୁଆର ୧.୬୪ ମିଟର ରହିବ । ଏହାସହ ଆସନ୍ତାକାଲି ସକାଳ ୭ଟା ୨୫ ମିନିଟ୍ରେ ଲୋ ଟାଇଡ୍ ବେଳେ ଜୁଆର ମାତ୍ର ୦.୯୬ ମିଟର ପର୍ଯ୍ୟନ୍ତ ଉଠିବ ।