ପୋପ ଫ୍ରାନ୍ସିସଙ୍କ ବିୟୋଗରେ ଯୋଗୀ ସରକାରଙ୍କ ବଡ଼ ନିଷ୍ପତ୍ତି, ଆଗାମୀ ୩ ଦିନ ଯାଏଁ ସମସ୍ତ ସରକାରୀ କାର୍ଯ୍ୟକ୍ରମ କଲେ ସ୍ଥଗିତ

ରୋମାନ କ୍ୟାଥୋଲିକ ଚର୍ଚ୍ଚର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନ୍ସିସଙ୍କ ଦେହାନ୍ତ ଗତକାଲି ହୋଇଛି । ଯାହାକୁ ନେଇ ଭାରତ ସରକାର ତାଙ୍କ ସମ୍ମାନାର୍ଥେ ୩ ଦିନିଆ ରାଜକୀୟ ଶୋକ ଘୋଷଣା କରିଛନ୍ତି । ୟୁପିରେ ମଧ୍ୟ ରାଜ୍ୟ ସରକାର ସମସ୍ତ କାର୍ଯ୍ୟକ୍ରମ ସ୍ଥଗିତ କରିଛନ୍ତି । ୮୮ ବର୍ଷ ବୟସରେ ପୋପ୍ ଫ୍ରାନ୍ସିସ ସୋମବାର ସକାଳ ୭:୩୫ରେ ଭାଟିକାନରେ ଥିବା ତାଙ୍କ ବାସସ୍ଥାନ କାସା ସାନ୍ତା ମାର୍ଟାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ଏହାପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୋପ ଫ୍ରାନ୍ସିସଙ୍କ ନିଧନରେ ଶୋକ ବ୍ୟକ୍ତ କରିଥିଲେ । ଏକ ବୟାନ ଜାରି କରି ଯୋଗୀ କହିଥିଲେ, ‘ଖ୍ରୀଷ୍ଟଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ ଫ୍ରାନ୍ସିସଙ୍କ ନିଧନରେ ଅତ୍ୟନ୍ତ ଦୁଃଖିତ ଏବଂ ଆଧ୍ୟାତ୍ମିକ ଜଗତ ପାଇଁ ଅପୂରଣୀୟ କ୍ଷତି । ଏଭଳି ଦୁଃଖ ସମୟରେ ମୋର ସମବେଦନା ସମସ୍ତ ବିଶ୍ବର କ୍ୟାଥେଲିକ ସମୁଦାୟ ସହିତ ରହିଛି ।

ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, “ପୋପ୍ ଫ୍ରାନ୍ସିସଙ୍କ ଦେହାନ୍ତ ପାଇଁ ସମଗ୍ର ଭାରତରେ ୩ ଦିନିଆ ରାଜକୀୟ ଶୋକ ପାଳନ କରାଯିବ ।” ଏହି ଶୋକ ଏପ୍ରିଲ ୨୨ ଅର୍ଥାତ ଆଜି ଏବଂ ଏପ୍ରିଲ ୨୩ (ବୁଧବାର) ଦୁଇ ଦିନ ଏବଂ ତାଙ୍କ ଅନ୍ତିମ ସଂସ୍କାର ଦିନ ପାଳନ କରାଯିବ । ଏହି ସମୟରେ ଭାରତରେ ଜାତୀୟ ପତାକା ନିୟମିତ ଉଡୁଥିବା ସମସ୍ତ ସରକାରୀ ବିଲିଡିଂରେ ଅର୍ଦ୍ଧନମିତ ରହିବ ଏବଂ କୌଣସି ସରକାରୀ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ନାହିଁ।

ସୂଚନାଯୋଗ୍ୟ, ପୋପ୍ ଫ୍ରାନ୍ସିସ ହେଉଛନ୍ତି ୨୦୧୩ରେ ପ୍ରଥମ ଲାଟିନ ଆମେରିକୀୟ ଏବଂ ପ୍ରଥମ ଜେସୁଇଟ ପୋପ୍ ଭାବେ ନିର୍ବାଚିତ ହୋଇଥିଲେ । ରୋମାନ କ୍ୟାଥୋଲିକ ଚର୍ଚ୍ଚର ପ୍ରଥମ ଲାଟିନ୍ ଆମେରିକୀୟ ପୋପ୍ ଫ୍ରାନ୍ସିସଙ୍କ ମୃତ୍ୟୁ ହୋଇଛି । ତାଙ୍କର ଉଭୟ ଫୁସଫୁସ୍ ନିମୋନିଆରେ ସଂକ୍ରମିତ ହୋଇଥିଲା । ସେ ଦୀର୍ଘ ସମୟ ଧରି ହସ୍ପିଟାଲରେ ଥିଲେ ।

Also Read : ପୋପ୍ ଫ୍ରାନ୍ସସିଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି, ‘ଭାରତ ପ୍ରତି ତାଙ୍କ ଭଲପାଇବା ସବୁବେଳେ…