ଝାନସୀ ମେଡିକାଲ କଲେଜ ଅଗ୍ନିକାଣ୍ଡ, ମୃତକ ଶିଶୁଙ୍କ ପରିଜନଙ୍କୁ କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
ଉତ୍ତରପ୍ରଦେଶ ଝାନସୀ ମେଡିକାଲ କଲେଜର ଶିଶୁ ୱାର୍ଡରେ ନିଆଁ ଲାଗିବା ଯୋଗୁଁ ୧୦ ପିଲାଙ୍କର ମୃତ୍ୟୁ ହୋଇଛି । ଘଟଣାରେ ୫ ଜଣ ଶିଶୁଙ୍କ ଅବସ୍ଥା ଗୁରୁତର ରହିଛି । ଯେଉଁ ୱାର୍ଡରେ ନିଆଁ ଲାଗିଛି, ସେଠାରେ ୪୭ ନବଜାତକ ଥିଲେ । ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୃତକଙ୍କ ପରିବାରକୁ ୫-୫ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଅନୁକମ୍ପାମୂଳକ ରାଶି ଘୋଷଣା କରାଯାଇଛି ।
ଗତକାଲି ରାତି ପ୍ରାୟ ସାଢେ ୧୦ଟାରେ ନିଆଁ ଲାଗିଥିଲା । ଶିଶୁ ୱାର୍ଡର ଦୁଇଟି ୟୁନିଟରେ ନିଆଁ ଲାଗିଯାଇଥିଲା । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ନିଆଁ ଲାଗିଥିବା ଜାଣିବା ପରେ ଲୋକମାନେ ଦୌଡିଥିଲେ । ଫଳରେ ଦଳଚକଟା ସ୍ଥିତି ସୃଷ୍ଟି ହୋଇଥିଲା । ଏଥିଯୋଗୁଁ କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଅଗ୍ନିଶମ ବାହୀନିର ଟିମ୍ ୩୭ ପିଲାଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ।
ଯୋଗୀ ଆଦିତ୍ୟନାଥ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ଘଟଣା ପରେ ଯୋଗୀ ରାତାରାତି ଉପସଚିବ ବ୍ରିଜେଶ ପାଠକ ଏବଂ ପ୍ରମୁଖ ସ୍ୱାସ୍ଥ୍ୟ ସଚିବଙ୍କୁ ଘଟଣା ସ୍ଥଳକୁ ପଠାଇଛନ୍ତି । କ’ଣ ପାଇଁ ଏପରି ଭୟାବହ ଅଗ୍ନିକାଣ୍ଡ ଘଟିଲା, ଏତେ ସଂଖ୍ୟକ ଛୁଆଙ୍କ ଜୀବନ ଚାଲିଗଲା ତାହାର ଉଚ୍ଚସ୍ତରୀୟ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଏହି ଯାଞ୍ଚ ରିପୋର୍ଟ ୧୨ ଘଣ୍ଟାରେ ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ମଧ୍ୟ ପ୍ରତିକ୍ରିୟା ରଖିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟାଳୟ ଏହାର ଏକ୍ସ ପୋଷ୍ଟରେ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛି । ପିଏମଓ ନିଜ ପୋଷ୍ଟରେ ଲେଖିଛି, ‘ହୃଦୟ ବିଦାରକ ! ଉତ୍ତରପ୍ରଦେଶର ଝାନ୍ସୀସ୍ଥିତ ମେଡିକାଲ କଲେଜରେ ଅଗ୍ନିକାଣ୍ଡ ଘଟଣା ଅତ୍ୟନ୍ତ ଦୁଃଖଦାୟକ ।