ଜୟପୁର ସିଏନଜି ଟ୍ୟାଙ୍କର ବିସ୍ଫୋରଣ : ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଥିଲା, ମୃତଦେହର ମିଳୁନି ପରିଚୟ, ହେବ ଡିଏନଏ ଟେଷ୍ଟ
![cng](https://knewsodisha.com/wp-content/uploads/2024/12/cng.jpg)
ଜୟପୁରର ଭାଙ୍କରୋଟାସ୍ଥିତ ଏକ ପେଟ୍ରୋଲ ପମ୍ପ ନିକଟରେ ଏକ ଗ୍ୟାସ୍ ଟ୍ୟାଙ୍କର ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଛି । ଘଟଣାରେ ୩୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଅଧିକାଂଶଙ୍କ ୮୦ ପ୍ରତିଶତ ଜଳିଯାଇଛି । କିଛିଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତେବେ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ମୃତକଙ୍କୁ ଚିହ୍ନିବା କଷ୍ଟକର ହୋଇପଡିଛି । ତେଣୁ ଡିଏନଏ ଟେଷ୍ଟ ହେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।
ଖବର ମୁତାବକ, ଡିସେମ୍ବର ୨୦ ତାରିଖ ସକାଳ ସାଢ଼େ ୫ଟାରେ ଏକ ଗ୍ୟାସ୍ ଟ୍ୟାଙ୍କର ଓ ଅନ୍ୟ ଏକ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାପରେ ବିସ୍ଫୋରଣ ହୋଇଥିଲା । ଏହି ସମୟରେ ଉକ୍ତ ରାସ୍ତା ଦେଇ ଯାଉଥିବା ଏକ ବସ୍ରେ ମଧ୍ୟ ନିଆଁ ଲାଗିଯାଇଥିଲା । ଯାତ୍ରୀମାନେ ତୁରନ୍ତ ଓହ୍ଲାଇ ନିଜ ଜୀବନ ବଞ୍ଚାଇଥିଲେ ମଧ୍ୟ ୨୦ରୁ ଅଧିକ ବସ୍ଯାତ୍ରୀ ଗୁରୁତର ଆହତ ହୋଇଥିଲେ । ଅଗ୍ନିଶମ ବାହିନୀ, ସିଭିଲ ଡିଫେନ୍ସ ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଗାଡ଼ିରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିଲା ।
ଏହି ଦୁର୍ଘଟଣା ଘଟିଥିବା ବେଳେ ଦୁର୍ଘଟଣାସ୍ଥଳର ୩୦୦ ମିଟର ପରିଧି ଭିତରେ ସବୁକିଛି ଜଳିଯାଇଥିଲା । ନିଆଁକୁ ଆୟତ୍ତ କରିବା ପାଇଁ ୨୨ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ୪ ଘଣ୍ଟାର ପ୍ରୟାସ ପରେ ନିଆଁକୁ ଆୟତ୍ତ କରାଯାଇଥିଲା ।
ଏହି ଅଗ୍ନିକାଣ୍ଡରେ ଉକ୍ତ ବସ୍ ସମେତ ଅନେକ ଟ୍ରକ୍ ଓ କାର୍ ଜଳି ଯାଇଛି । ୪୦ରୁ ଅଧିକ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ଏସ୍ଏମ୍ଏସ୍ ହସ୍ପିଟାଲରେ ପହଂଚି ଆହତମାନଙ୍କ ଚିକିତ୍ସା ତଦାରଖ କରିବା ସହ ପୀଡ଼ିତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି । ରାଜସ୍ଥାନ ସରକାର ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୧ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣା ନେଇ ଶୋକବ୍ୟକ୍ତ କରିବା ସହ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି ।