ହେଲିକପ୍ଟର ଦୁର୍ଘଟଣାର ୧ ମାସ ପରେ ଆରବ ସାଗରରୁ ମିଳିଲା ପାଇଲଟ୍‌ଙ୍କ ମୃତଦେହ

ଗତ ମାସରେ ଭାରତୀୟ ତଟରକ୍ଷୀ ବାହିନୀର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏବେ ମାସେରୁ ଅଧିକ ସମୟ ପରେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ନିଖୋଜ ପାଇଲଟ୍‌ଙ୍କ ମୃତଦେହ ମିଳିଛି । ଆରବ ସାଗରର ଗୁଜରାଟ ତଟ ନିକଟରୁ ପାଇଲଟ୍‌ଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ତଟରକ୍ଷୀ ଅଧିକାରୀମାନେ କହିଛନ୍ତି ଯେ ଗୁଜରାଟର ପୋରବନ୍ଦର ନିକଟ ଆରବ ସାଗରରେ ଗତ ସେପ୍ଟେମ୍ବର ୨ରେ ଏଏଲ୍‌ଏଚ୍‌ ଏମ୍‌କେ-୩ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣା ପରେ ଚାଳକ ଦଳର ୩ ଜଣ ସଦସ୍ୟ ନିଖୋଜ ହୋଇଯାଇଥିଲେ । ପରେ ୨ ଜଣଙ୍କ ମୃତଦେହକୁ ଖୋଜି ବାହାର କରାଯାଇଥିବା ବେଳେ ପାଇଲଟ୍‌ କମାଣ୍ଡର ରାକେଶ କୁମାର ରାଣାଙ୍କୁ ଖୋଜାଖୋଜି ଜାରି ରହିଥିଲା ।

ତଟରକ୍ଷୀ ବାହିନୀ ସୂଚନା ଦେଇଛି ଯେ ଅକ୍ଟୋବର ୧୦ରେ ପୋରବନ୍ଦରରୁ ପ୍ରାୟ ୫୫ କିଲୋମିଟର ଦକ୍ଷିଣ-ପଶ୍ଚିମରେ ରାଣାଙ୍କ ମୃତଦେହ ମିଳିଛି । ସେତେବେଳେ ଦୁର୍ଘଟଣାର ତୁରନ୍ତ ପରେ ଅନ୍ୟ ୨ ଜଣ କମାଣ୍ଡର ବିପିନ ବାବୁ ଓ ପ୍ରଧାନ ନାବିକ କରଣ ସିଂଙ୍କ ମୃତଦେହକୁ ଉଦ୍ଧାର କରି ନିଆଯାଇଥିଲା ।

ଏହି ହେଲିକପ୍ଟର ଦୁର୍ଘଟଣା ପରେ ଭାରତୀୟ ତଟରକ୍ଷୀ ବାହିନୀ ଏବଂ ନୌସେନା ବଡ଼ ରେସକ୍ୟୁ ଅଭିଯାନ ଚଲାଇଥିଲା । କିନ୍ତୁ ମାସେରୁ ଅଧିକ ସମୟ ଯାଏ ରାଣାଙ୍କର କୌଣସି ପତ୍ତା ମିଳି ନ ଥିଲା । ଏହି ସର୍ଚ୍ଚ ଅପରେସନରେ ୭୦ରୁ ଅଧିକ ହେଲିକପ୍ଟର ଏବଂ ଅନେକ ଜାହାଜ ସାମିଲ ହୋଇଥିଲେ । ୮୨ ଦିନ ଧରି ରେସକ୍ୟୁ କାର୍ଯ୍ୟ ଚାଲିବା ପରେ ଶେଷରେ ପାଇଲଟ୍‌ଙ୍କ ମୃତଦେହ ମିଳିଛି ।

ତଟରକ୍ଷୀ ବାହିନୀ କହିଛି ଯେ ସମ୍ପୂର୍ଣ୍ଣ ସୈନ୍ୟ ସମ୍ମାନର ସହିତ ପାଇଲଟ୍‌ଙ୍କ ଅନ୍ତିମ ସଂସ୍କାର କରାଯିବ ।

You might also like