ଜମ୍ମୁ କଶ୍ମୀରରେ ଜମିଗଲାଣି ଝରଣା, ନଦୀ, ରାଜସ୍ଥାନରେ ପ୍ରବଳ ଥଣ୍ଡା ଅନୁଭୂତ

ଉତ୍ତର ଏବଂ ପୂର୍ବ ଭାରତର ଅନେକ ଅଞ୍ଚଳରେ ପ୍ରବଳ ଶୀତ ଲହରି ଜାରି ରହିଛି । ଜମ୍ମୁ କଶ୍ମୀରରେ ବିଭିନ୍ନ ସ୍ଥାନରେ ଝରଣା ଓ ନଦୀ ବରଫ ପାଲଟିଲାଣି । ଦିଲ୍ଲୀ-ଏନସିଆରରେ ଥଣ୍ଡାର ବଢିବା ଯୋଗୁଁ ଲୋକମାନେ ସମସ୍ୟାରେ ପଡିଛନ୍ତି । ଥଣ୍ଡାରୁ ବର୍ତ୍ତିବା ପାଇଁ ଅଭାବୀ ଲୋକେ ଆଶ୍ରୟସ୍ଥଳୀରେ ରାତି କାଟୁଛନ୍ତି । ଦିଲ୍ଲୀ-ଏନସିଆରର ଭିନ୍ନ ଭିନ୍ନ ଅଂଶରେ କୁହୁଡିର ଛାୟା ଦେଖିବାକୁ ମିଳିଛି । କୁହୁଡି କାରଣରୁ ଭିଜିବିଲିଟି କମ୍ ରହିଛି ।

ପାଣିପାଗ ବିଭାଗ ଅନୁସାରେ, ୧୮ ଡିସେମ୍ବରରେ ହିମାଳୟ ପଶ୍ଚିମ ଅଞ୍ଚଳକୁ ଅଧିକ ପ୍ରଭାବିତ କରିପାରେ । ଏଥିପାଇଁ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ଥଣ୍ଡା ପଡିପାରେ । ଘନ କୁହୁଡି ଏବଂ ଶୀତ ଲହରି ବଢିବା ଯୋଗୁଁ ଲୋକ ଅସୁବିଧାରେ ପଡିପାରନ୍ତି ।

ସେହିପରି ରାଜସ୍ଥାନରେ ତାପମାତ୍ରା ଖୁବ କମିବାରେ ଲାଗିଛି । ୧୬ଟି ସହରର ତାପମାତ୍ରା ୫ ଡିଗ୍ରୀ ସେଲସିୟସ ତଳକୁ ଖସିଯାଇଛି । ଏଠାରେ ଦୁଇଟି ସହରର ତାପମାତ୍ରା ୪ ଡିଗ୍ରୀ ସେଲସିୟସ ରହିଛି । ଅଗାମୀ ୩ ଦିନ ଭିତରେ ଥଣ୍ଡା ଆହୁରି ବଢିପାରେ ।

ଜମ୍ମୁ-କାଶ୍ମୀରରେ ଲଗାତାର ତାପମାତ୍ରା କମିବାରେ ଲାଗିଛି । ଏଠାରେ ଫ୍ରିଜିଂ ପଏଣ୍ଟରୁ ତଳକୁ ପହଞ୍ଚିଯାଇଛି ତାପମାତ୍ରା । ଶ୍ରୀନଗରର ଅନେକ ସ୍ଥାନରେ ବରଫ ଜମିବା ଦେଖିବାକୁ ମିଳିଛି । ଏଠାରେ ଝରଣା ନଦୀ ନାଳରେ ବରଫ ଜମିବା ଦେଖିବାକୁ ମିଳିଛି । ଅନ୍ୟପଟେ ହିମାଚଳର କୁଲ୍ଲୁରେ ଲୋକଙ୍କୁ ଥଣ୍ଡା ଅସୁବିଧାରେ ପକାଇଛି । ଥଣ୍ଡାରେ ଲୋକେ ଅସୁସ୍ଥ ହୋଇପଡିଲେଣି । ଭିଲୱାଡା, ବନସ୍ଥଳୀ, ଅଲବର କରୋଲି, ଚୁରୁ, ଶ୍ରୀଗଙ୍ଗାନଗର ଅଞ୍ଚଳରେ ସବୁଠାରୁ କମ୍ ତାପମାତ୍ରା ରେକର୍ଡ କରାଯାଇଛି ।

ମହାରାଷ୍ଟ୍ରରେ ଅନେକ ସ୍ଥାନରେ ତାପମାତ୍ରା କମ୍ ରହିଛି । ପୁଣେରେ ୭.୮ ଡିଗ୍ରୀ, ଜଲଗାଓଁରେ ୮.୩, ନାସିକ ୯.୮ ଡିଗ୍ରୀ ରହିଛି । ହିମାଚଳ କୁଲୁରେ ମଧ୍ୟ ଥଣ୍ଡାରେ ହନ୍ତସନ୍ତ ହେଉଛନ୍ତି ଲୋକ ।