ଗୁଜରାଟ : ରାସ୍ତାକଡରେ ଠିଆ ହୋଇଥିବା ବସ୍‌କୁ ପିଟିଲା ଟ୍ରକ, ୬ ମୃତ

ଗୁଜରାଟ : ଗୁଜରାଟର ଆନନ୍ଦ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅହମଦାବାଦ-ବଡୋଦରା ଏକ୍ସପ୍ରେସ ୱେରେ ଟାୟାର ପମ୍ପଚର ହେବାରୁ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ବସକୁ ଏକ ଟ୍ରକ୍ ପିଟିବାରୁ ୬ ଜୀବନ ଚାଲି ଯାଇଛି । ଏହି ଦୁର୍ଘଟଣାରେ ୮ ବସ୍ ଯାତ୍ରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି ।

ଖବର ମୁତାବକ, ବସ୍ଟି ମହାରାଷ୍ଟ୍ରରୁ ରାଜସ୍ଥାନ ଅଭିମୁଖେ ଯାଉଥିଲା । ଆଜି ଭୋର ପ୍ରାୟ ୪ଟା ପରେ ବସ୍‌ ଚକା ପମ୍ପଚର ହେବାରୁ ଗାଡ଼ିଟି ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିଲା । ସେହି ସମୟରେ ବସ୍ ଡ୍ରାଇଭର,ହେଲପର ଓ କିଛି ଯାତ୍ରୀ ବସ୍ ବାହାରେ ଛିଡ଼ା ହୋଇଥିଲେ । ଦ୍ରୁତ ଗତିରେ ମାଡ଼ି ଆସୁଥିବା ଏକ ଟ୍ରକ୍ ପଛରୁ ବସକୁ ପିଟିଥିଲା । ଫଳରେ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା ।

ତୁରନ୍ତ ଖବର ପାଇ ପୋଲିସ୍ ଟିମ୍, ଅଗ୍ନିଶମ ବାହିନୀ ଓ ହାଇୱେ ପାଟ୍ରୋଲିଂ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ଅନ୍ୟ ଗୁରୁତରଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହି ଦୁର୍ଘଟଣାରେ ୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି । ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ହସପିଟାଲରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା ।

ସୂଚନାଯୋଗ୍ୟ, ଦୁଇଦିନ ତଳେ ବେଙ୍ଗାଲୁରୁରୁ ତିରୁପତି ଯାଉଥିବା ଏକ ଯାତ୍ରୀବସ୍‌ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲା । ଏହି ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଓଭରଟେକ୍‌ କରିବାକୁ ଚେଷ୍ଟା କଲା ବେଳେ ଏହି ଦୁର୍ଘଟଣା ଘଟିଥିଲା । ବେଙ୍ଗାଲୁରୁରୁ ଯାତ୍ରୀଙ୍କୁ ଧରି ବସ୍‌ ତିରୁପତି ଯାଉଥିଲା । ଦୁର୍ଘଟଣା ଏତେ ଭୟାବହ ଥିଲା ଯେ ଏଥିରେ ବସ୍‌ଟି ଭାଙ୍ଗି ଚୁର୍‌ମାର ହୋଇଯାଇଥିଲା ।  ଭୟଙ୍କର ଦୁର୍ଘଟଣା ଯୋଗୁ ବହୁ ସମୟ ଧରି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ।

You might also like