ଅଯୋଧ୍ୟା ରାମ ମନ୍ଦିର ଥିମ୍‌ ଉପରେ ଚାନ୍ଦିର ରଙ୍ଗିନ୍‌ ମୁଦ୍ରା ଜାରି, ଜାଣନ୍ତୁ ଦାମ୍‌

୫୦ ଗ୍ରାମ ଓଜନର ଏହି ମୁଦ୍ରା ୯୯୯ ଶୁଦ୍ଧ ଚାନ୍ଦିରେ ତିଆରି କରାଯାଇଛି । ଏହି ମୁଦ୍ରା ରାମଲାଲା ଏବଂ ରାମ ମନ୍ଦିରର ବିଷୟବସ୍ତୁ ଉପରେ ଆଧାରିତ ।

ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ପରେ ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ଏପଟେ ରାମନବମୀ ମହୋତ୍ସବ ପାଇଁ ଅନେକ ପ୍ରସ୍ତୁତି ଚାଲିଥିବାବେଳେ ମନ୍ଦିରର ପ୍ରସାଦ ଏବଂ ସରଯୁର ଜଳ ଭଳି ସ୍ୱତନ୍ତ୍ର ଜିନିଷ ପାଇଁ ବହୁତ ଚାହିଦା ରହିଛି । ଯେଉଁମାନେ ଅଯୋଧ୍ୟା ଯାଇ ରାମଲାଲାଙ୍କ ଦର୍ଶନ କରିପାରୁନାହାନ୍ତି, ସେମାନେ ଅନ୍‌ଲାଇନରେ ପ୍ରସାଦ ଅର୍ଡର କରୁଛନ୍ତି ।

ଏହାରି ଭିତରେ ସରକାର ସାର୍ବଜନିକ ବିକ୍ରି ଉଦ୍ଦେଶ୍ୟରେ ସୀମିତ ସଂସ୍କରଣର ୫୦ ଗ୍ରାମ ରଙ୍ଗିନ ଚାନ୍ଦି ମୁଦ୍ରା ଜାରି କରିଛନ୍ତି । ଏହି ମୁଦ୍ରାର ମୂଲ୍ୟ ରହିଛି ୫୮୬୦ ଟଙ୍କା । ୫୦ ଗ୍ରାମ ଓଜନର ଏହି ମୁଦ୍ରା ୯୯୯ ଶୁଦ୍ଧ ଚାନ୍ଦିରେ ତିଆରି କରାଯାଇଛି । ଏହାକୁ SPMCILI ୱେବସାଇଟରୁ ଅନଲାଇନରେ କିଣାଯାଇ ପାରିବ । ଏହି ମୁଦ୍ରା ରାମଲାଲା ଏବଂ ରାମ ମନ୍ଦିରର ବିଷୟବସ୍ତୁ ଉପରେ ଆଧାରିତ ।

ମୁଦ୍ରାର ଗୋଟିଏ ପାର୍ଶ୍ୱରେ ରାମଲାଲାଙ୍କ ପ୍ରତିମୂର୍ତ୍ତି ରହିଥିବା ବେଳେ ଅନ୍ୟ ପାର୍ଶ୍ୱରେ ରହିଛି ରାମ ମନ୍ଦିରର ଆକୃତି । ରାମ ମନ୍ଦିରର ଗର୍ଭଗୃହରେ ସ୍ଥାପିତ ରାମଲାଲାଙ୍କ ମୂର୍ତ୍ତି ହେଉଛି ଭଗବାନ ରାମଙ୍କ ୫ ବର୍ଷର ବାଳକ ସ୍ୱରୂପ । ଶିଳ୍ପୀ ଅରୁଣ ଯୋଗୀରାଜ ଏହି ମୂର୍ତ୍ତି ତିଆରି କରିଛନ୍ତି । ତେବେ କହି ରଖୁଛୁ କି, ଆପଣ ମଧ୍ୟ ଏହି ମୁଦ୍ରାକୁ କିଣି ନିଜ ପୂଜାସ୍ଥାନରେ ରଖିପାରିବେ ।

ଚଳିତ ବର୍ଷ ଜାନୁୟାରୀ ୨୨ରେ ଅଯୋଧ୍ୟା ମନ୍ଦିରରେ ରାମଲାଲାଙ୍କ ନୂତନ ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା କରାଯାଇଥିଲା । ଏହି ଦିନ ଅପରାହ୍ନ ୧୨ଟା ୨୯ ମିନିଟ୍‌ରେ ରାମଲାଲାଙ୍କ ନୂତନ ବିଗ୍ରହର ପ୍ରାଣ ପ୍ରତିଷ୍ଠା ହୋଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହି କର୍ତ୍ତା ଭାବରେ କାର୍ଯ୍ୟ ସମ୍ପାଦନ କରିଥିଲେ । ପ୍ରାଣ ପ୍ରତିଷ୍ଠା ସମାରୋହରେ ସେନାର ହେଲିକପ୍ଟର ନବନିର୍ମିତ ଶ୍ରୀରାମଙ୍କ ଜନ୍ମଭୂମି ମନ୍ଦିର ଉପରେ ଫୁଲ ବର୍ଷା କରିଥିଲେ । ଏହା ସହିତ ରାମ ନଗରୀର କେତେକ ଅଞ୍ଚଳରେ ଲୋକମାନେ ଗୀତ ଓ ନୃତ୍ୟ ସହିତ ଉତ୍ସବ ପାଳନ କରିଥିଲେ ।