ପାକିସ୍ତାନ ସୀମା ନିକଟରେ ବିମାନ ଦୁର୍ଘଟଣା, ଇରାନ୍ ରିଭୋଲ୍ୟୁସନାରୀ ଗାର୍ଡର କମାଣ୍ଡର ଓ ପାଇଲଟ୍ ମୃତ
ଇରାନରେ ପାକିସ୍ତାନ ସୀମା ନିକଟରେ ଏକ ବିମାନ ଦୁର୍ଘଟଣା ଘଟିଛି । ଏଠାରେ ସୈନ୍ୟ ଅଭ୍ୟାସ ଚାଲୁଥିବା ସମୟରେ ଏକ ‘ଅଟୋଗାଇରୋ’ (ହେଲିକପ୍ଟର ଭଳି ବିମାନ) ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଇରାନୀ ରିଭୋଲ୍ୟୁସନାରୀ ଗାର୍ଡର କମାଣ୍ଡର ଜେନେରାଲ ହାମିଦ୍ ମଞ୍ଜାଦରାନି ଓ ପାଇଲଟଙ୍କର ମୃତ୍ୟୁ ହୋଇଛି ।
ସରକାରୀ ମିଡିଆ ରିପୋର୍ଟ ମୁତାବକ, ସିସ୍ତାନ ଓ ବଲୁଚିସ୍ତାନ ପ୍ରଦେଶ ନିକଟସ୍ଥ ସିରକନ ସଂଲଗ୍ନ ସୀମା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ସୈନ୍ୟ ଅଭ୍ୟାସ ବେଳେ ଅଟୋଗାଇରୋ ହଠାତ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଠାରେ ଅଟୋଗାଇରୋ ଦ୍ୱାରା ସୈନ୍ୟ ଅଭ୍ୟାସ ଚାଲିଥିଲା ।
ସୀମାରେ ନିରୀକ୍ଷଣ ପାଇଁ ଏହାକୁ ବ୍ୟବହାର କରାଯାଇଥାଏ । ରୋଟର ଡିଜାଇନରେ ‘ଅଟୋଗାଇରୋ’ ହେଲିକପ୍ଟର ଭଳି ହୋଇଥାଏ । କିନ୍ତୁ ଏହା ଅପେକ୍ଷାକୃତ ସରଳ ଏବଂ ଛୋଟ । ଇରାନରେ ଅଧିକାଂଶ ପାଇଲଟଙ୍କ ପ୍ରଶିକ୍ଷଣ ପାଇଁ ମଧ୍ୟ ଏହା ବ୍ୟବହୃତ ହୋଇଥାଏ । ଏହି ବିମାନରେ ଦୁଇ ଜଣ ବସିବାର କ୍ଷମତା ରହିଛି ।
ସେପଟେ ଆଜି ଉତ୍ତରପ୍ରଦେଶର ଆଗ୍ରା ନିକଟରେ ଏକ ମିଗ-୨୯ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପାଇଲଟ ଏବଂ ଦୁଇ ଜଣ ବିମାନରୁ ପାରାଚ୍ୟୁଟ ଯୋଗେ ବର୍ତ୍ତି ଯାଇଥିବା ସୂଚନା ମିଳିଛି । ବିମାନଟି ପଞ୍ଜାବର ଆଦମପୁରରୁ ଉଡାଣ ଭରି ଅଭ୍ୟାସ ପାଇଁ ଆଗ୍ରା ଯାଉଥିଲା । ଦୁର୍ଘଟଣା କେମିତି ହେଲା, ତାହାର କାରଣ ଜଣାପଡିନାହିଁ ।
ବିମାନଟି କାଗାରୋଲ-ସୋନିଗା ଗାଁ ନିକଟରେ ଖାଲି ବିଲରେ ପଡିଥିଲା । ଦୁର୍ଘଟଣାଠାରୁ ୨ କିମି ଦୂରରେ ପାଇଲଟ ଏବଂ ସାଥୀ ପଡିଥିବା ସୂଚନା ମିଳିଛି । ବିମାନଟି ତଳେ ପଡିବା ପରେ ଏଥିରେ ନିଆଁ ଲାଗିଯାଇଥିଲା । ତେବେ ଦୁର୍ଘଟଣାର କାରଣ ଜଣାପଡିନାହିଁ ।