ଗଣେଶ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରାରେ ମୁହାଁମୁହିଁ ହେଲେ ଦୁଇ ଗୋଷ୍ଠୀ । ବିଚ୍ ରାସ୍ତାରେ ବୁଲିଲା ଖଣ୍ଡା, ଦୁଲୁଦାଲ ହୋଇ ପଡିଲା ପଥର । ଦୋକାନରେ ନିଆଁ ଲଗାଇଦେଲେ । ଏପରି ଭୟଙ୍କର ଦୃଶ୍ୟ କର୍ଣ୍ଣାଟକର ମାଣ୍ଡୟାରେ ଘଟିଛି । ଉଭୟ ପକ୍ଷଙ୍କ ପଥର ମାଡ଼ରେ ଜଣେ ପୋଲିସ କର୍ମୀ ଆହତ ହୋଇଛନ୍ତି । ପଥର ମାଡ଼ ସାଙ୍ଗକୁ ପୋଡ଼ାଜଳାକୁ ନେଇ ପୋଲିସ ଆଜି ୫୨ ଜଣଙ୍କୁ ଅଟକ ରଖିଛି । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଛି ।
ଖବର ମୁତାବକ, ଗତ ରାତିରେ କର୍ଣ୍ଣାଟକର ମାଣ୍ଡୟାର ନାଗମଙ୍ଗଳା ଟାଉନ୍ ଥାନା ଅଞ୍ଚଳରେ ଗଣେଶ ମୂର୍ତ୍ତି ବିସର୍ଜନ ନିମନ୍ତେ ଶୋଭାଯାତ୍ରା ବାହାରିଥିଲା । ଶୋଭାଯାତ୍ରା ମସଜିଦ ନିକଟରେ ପହଞ୍ଚିବା ଅନ୍ୟ ଏକ ଗୋଷ୍ଠୀ ଶୋଭାଯାତ୍ରା ଉପରକୁ ପଥର ମାଡ଼ କରିଥିଲେ । ଶୋଭାଯାତ୍ରାରେ ସ୍ଥିତି ଏଭଳି ହେଲା ଯେ, ଖଣ୍ଡା ବୁଲାଇ ଲୋକଙ୍କୁ ଭୟଭୀତ କରାଗଲା । ୨ରୁ ୩ଟି ଦୋକାନରେ ନିଆଁ ଲଗାଯାଇଛି । ଏହାକୁ ନେଇ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଦୋକାନ ବଜାରରେ ନିଆଁ ଲଗାଇ ଦେଇଥିଲେ । ଏଥିସହ ରାସ୍ତାରେ ଟାୟାର ଜାଳି ଅବରୋଧ କରିଥିଲେ ।
Karnataka | Prohibitory orders imposed in Mandya district’s Nagamangala after a group of miscreants set shops on fire, and two police staff were injured. I have no information related to the machete or other weapons used in the clash. Investigation is underway. We are verifying…
— ANI (@ANI) September 12, 2024
ଏଥିରେ ଉତ୍ତ୍ୟକ୍ତ ଲୋକେ ପୋଲିସ ଷ୍ଟେସନ ସମ୍ମୁଖରେ ମୂର୍ତ୍ତି ରଖି ବିରୋଧ ପ୍ରଦର୍ଶନ କରିଥିଲେ । ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ସେମାନେ ଦାବି କରିଥିଲେ । ଘଟଣା ଉଗ୍ର ରୂପ ଧାରଣ କରିବାରୁ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଆଜି ଏହି ଘଟଣାରେ ପୋଲିସ୫୨ ଜଣ ଲୋକଙ୍କୁ ଅଟକ ରଖିଛି । ସେପଟେ ଅଟକ ଥିବା ଲୋକଙ୍କ ସମ୍ପର୍କୀୟ ଥାନା ଘେରାଉ କରିଛନ୍ତି । ଏଭଳି ସ୍ଥିତିରେ ୧୪ ସେପ୍ଟେମ୍ବର ପର୍ଯ୍ୟନ୍ତ ସିଆରପିସି ଧାରା ୧୪୪ ଲାଗୁ ରହିଛି । ଘଟଣା ସ୍ଥଳରେ ଆଇଜି, ଏସପି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଏଚଡି କୁମାରସ୍ୱାମୀ ହିଂସାର ନିନ୍ଦା କରି କଂଗ୍ରେସ ସରକାରକୁ ଦୋଷାରୋପ କରିଛନ୍ତି ।