ତ୍ରିକୂଟ ରୋପୱେ ଦୁର୍ଘଟଣା: ମୃତକଙ୍କ ପରିଜନଙ୍କୁ ୨୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କଲା କମ୍ପାନୀ

ଝାଡ଼ଖଣ୍ଡ: ଦେଓଘରର ତ୍ରିକୂଟ ପର୍ବତ ପରେ ନିର୍ମିତ ରୋପୱେରେ ଏପ୍ରିଲ ୧୦ରେ ହୋଇଥିବା ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପରିଜନକୁ ରୋପୱେ କମ୍ପାନୀ ପକ୍ଷରୁ କ୍ଷତିପୂରଣ ଘୋଷଣା କରାଯାଇଛି। ଶନିବାର ଦିନ ରୋପୱେ କମ୍ପାନୀ ପକ୍ଷରୁ ୩ ଜଣ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି।

ଏଠାକାର ଜିଲ୍ଲାପାଳ ଅଫିସ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ କୃଷି, ପଶୁପାଳନ ମନ୍ତ୍ରୀ, ଅଳ୍ପ ସଂଖ୍ୟକ କଲ୍ୟାଣ ମନ୍ତ୍ରୀ ହଫିଜୁଲ ହସନ୍‌ ଏବଂ ସ୍ଥାନୀୟ ବିଧାୟକ ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ରହି ତ୍ରିକୂଟ ପର୍ବତ ରୋପୱେ ଘଟଣାରେ ପରିଜନଙ୍କୁ ହରାଇଥିବା ୩ଟି ପରିବାରକୁ ୨୫-୨୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ। ତ୍ରିକୂଟ ପର୍ବତରେ କେବୁଲ କାର୍ଟ ସଞ୍ଚାଳନ କରୁଥିବା କମ୍ପାନୀ ଦାମୋଦର ରୋପୱେ ଇନ୍‌ଫ୍ରା ଲିମିଟେଡ୍‌ ପକ୍ଷରୁ ଏହି ରାଶି ପ୍ରଦାନ କରାଯାଇଛି।


ରୋପୱେ ଦୁର୍ଘଟଣାରେ ମୃତ ଆଶା କୁମାରୀ, ଛେଦୁ ପହାଡ଼ିଆ ଓ କୁମାର ଗୌରବଙ୍କ ପରିବାରକୁ ଏହି ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ସେମାନଙ୍କ ପରିବାର ଲୋକ ପହଞ୍ଚି ଏହି ରାଶି ଗ୍ରହଣ କରିଥିଲେ।

ସୂଚନାଯୋଗ୍ୟ ଯେ ଏପ୍ରିଲ ୧୦ ତାରିଖ ସନ୍ଧ୍ୟାରେ ଝାଡ଼ଖଣ୍ଡର ଦେଓଘରରେ ତ୍ରିକୂଟ ପର୍ବତରେ ପର୍ଯ୍ୟଟକଙ୍କ ପାଇଁ ନିର୍ମିତ ରୋପୱେର କେବୁଲ କାର ପରସ୍ପରକୁ ଧକ୍କା ଦେଇଥିଲେ। ଫଳରେ ଭୂମି ଠାରୁ ୧୫୦୦ରୁ ୨୦୦୦ ଫୁଟ୍‌ ଉପରେ ୨୫ଟି କେବୁଲ କାର ଫସି ଯାଇଥିଲା। ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ପାଇଁ ବାୟୁସେନାର ହେଲିକପ୍ଟର ନିୟୋଜିତ ହୋଇଥିଲେ। ଦୀର୍ଘ ୪୬ ଘଣ୍ଟାର ଅବିରତ ଚେଷ୍ଟା ପରେ ୪୬ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା। କିନ୍ତୁ ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୩ ଜଣଙ୍କ ଜୀବନ ଚାଲିଯାଇଥିଲା। ସେହିପରି ୧୨ ଜଣ ଗୁରୁତର ମଧ୍ୟ ହୋଇଥିଲେ। ଏହି ଘଟଣାର ୩ ଜଣ ମୃତକଙ୍କ ପରିବାରକୁ ରୋପୱେ ସଂସ୍ଥା ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି।

Also Read: ମେ’ ୧ ରେ କାହିଁକି ପାଳିତ ହୁଏ ଅନ୍ତର୍ଜାତୀୟ ଶ୍ରମିକ ଦିବସ, ଜାଣନ୍ତୁ ଏହି ଦିନର ଇତିହାସ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.