ଏଲ୍ଭିଶ ଯାଦବଙ୍କୁ ନେଇ ପୁଣି ବିବାଦ, କାଶୀ ବିଶ୍ୱନାଥ ମନ୍ଦିର ରେଡ୍ ଜୋନ୍ରେ ଉଠାଇଲେ ଫଟୋ

ୟୁଟ୍ୟୁବର ତଥା ବିଗ୍ ବସ୍ ଓଟିଟି-୨ର ବିଜେତା ଏଲ୍ଭିଶ ଯାଦବଙ୍କ ସମସ୍ୟା କମିବାର ନାଁ ଧରୁନାହିଁ । ପୂର୍ବରୁ କୋବ୍ରା କାଣ୍ଡ ଏବଂ ବର୍ତ୍ତମାନ ଆଉ ଏକ ବିବାଦରେ ଫସିଛନ୍ତି ଏଲ୍ଭିଶ । ତାଙ୍କ ବିରୋଧରେ ବାରାଣସୀରେ ମାମଲା ରୁଜୁ ହୋଇଛି । ଆସନ୍ତୁ ଜାଣିବା, କ’ଣ ଏହି ମାମଲା ।
ଆଜି ବାରାଣସୀର କାଶୀ ବିଶ୍ୱନାଥ ମନ୍ଦିର ଯାଇଥିଲେ ଏଲ୍ଭିଶ । ହେଲେ ସେଠାରେ ସେ ପ୍ରତିବନ୍ଧିତ ଥିବା ଅଞ୍ଚଳରେ ଫଟୋ ଉଠାଇଥିଲେ । ଏହି ଜାଗାରେ ଫଟୋଗ୍ରାଫି ବାରଣ ଥିବାବେଳେ ଏଲ୍ଭିଶ କିନ୍ତୁ ନିଜର ଫଟୋ ଉଠାଇଥିଲେ । ଯେତେବେଳେ ତାଙ୍କ ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିଲା, କେତେଜଣ ଓକିଲ ଏ ସମ୍ପର୍କରେ ଅଭିଯୋଗ ନେଇ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ପହଞ୍ଚିଥିଲେ ।
ଅଭିଯୋଗକାରୀମାନେ ଏ ନେଇ ପୋଲିସରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ମଧ୍ୟ ତଦନ୍ତର ଆଶ୍ୱସନା ଦେଇଛି । ମାମଲାର ତଦନ୍ତ ଦାୟିତ୍ୱ ଡିସିପିଙ୍କୁ ହସ୍ତାନ୍ତର କରାଯାଇଛି । ଏହି ମାମଲାରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି ।
ବାରାଣସୀ ବୁଲିବାକୁ ଯାଇଥିବା ଏଲ୍ଭିଶ କାଶୀ ବିଶ୍ୱନାଥ ମନ୍ଦିରକୁ ଯାଇଥିଲେ । କିନ୍ତୁ ସେଠାରେ ସେ ସ୍ୱର୍ଣ୍ଣ ଶିଖର ପାଖରେ ଫଟୋ ଉଠାଇ ଏକ ନୂଆ ବିବାଦ ସୃଷ୍ଟି କରିଛନ୍ତି । ସ୍ଥାନଟି ହେଉଛି ରେଡ୍ ଜୋନ୍ ଅଞ୍ଚଳ, ଯେଉଁଠି ଫଟୋଗ୍ରାଫି କରିବାକୁ ମନା କରାଯାଇଛି । ଏଲ୍ଭିଶଙ୍କ ଏପରି କାର୍ଯ୍ୟ ବିରୋଧରେ ଓକିଲମାନେ ପୋଲିସ କମିଶନର ମୁଖ୍ୟାଳୟ ଏବଂ କ୍ରାଇମ୍ କାର୍ଯ୍ୟାଳୟରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି ।