ଚେନ୍ନାଇରେ ଆଜିଠୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଲାଗୁ, ରାସ୍ତାଘାଟ ଶୂନଶାନ୍‌

ଚେନ୍ନାଇରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌। ତାମିଲନାଡ଼ୁ ସରକାର ରାଜ୍ୟରେ ୩୧ ଜାନୁଆରୀ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ୧୪ ଜାନୁଆରୀରୁ ୧୮ ଜାନୁଆରୀ ମଧ୍ୟରେ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ରହିଛି। ଏଣୁ ଆଜିଠାରୁ ଚେନ୍ନାଇରେ ସମ୍ପୂର୍ଣ୍ଣ ତାଲା ବନ୍ଦ ରହିଛି। କୋଏମ୍ବାଟୁର ଅଞ୍ଚଳର କେତେକ ଫଟୋ ସାମ୍ନାକୁ ଆସିଛି। ଫଟୋରେ ଚାରିଆଡ଼େ ଶୂନ୍‌ଶାନ୍‌ ନଜର ଆସିଛି। ରାସ୍ତାରେ ମାତ୍ର ହାତ ଗଣତି କିଛି ଲୋକ ନଜର ଆସୁଛନ୍ତି। ସେମାନଙ୍କୁ ପୋଲିସ ଘରୁ ବାହାରକୁ ଆସିଥିବାର କାରଣ ପଚାରୁଥିବା ଦେଖାଯାଇଛି।

ତାମିଲନାଡ଼ୁରେ କରୋନା କଟକଣା ଯୋଗୁ ସମସ୍ତ ପୂଜା ସ୍ଥଳରେ କଟକଣା ଜାରି ହୋଇଛି। ରାଜ୍ୟରେ ପୋଙ୍ଗଲ ପାଳନକୁ ମଧ୍ୟ ବାରଣ କରାଯାଇଥିଲା। ତେବେ ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ଏକ ରୋସ୍ତୋରାଁର ମାଲିକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଗତ ବର୍ଷ ସରକାର ସ୍ପଷ୍ଟ କରିଥିଲେ ଯେ ଲକ୍‌ଡାଉନ୍‌ ସବୁ ସମସ୍ୟାର ସମାଧାନ ନୁହେଁ। ତଥାପି ସରକାର ଚଳିତବର୍ଷ ଲକ୍‌ଡାଉନ୍‌ ଲାଗୁ କରିଛନ୍ତି। ଏହା ଯୋଗୁ ବେପାର ମାନ୍ଦା ହୋଇଥିବା ସେ କହିଛନ୍ତି।

ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ରବିବାର ଜାରି ହୋଇଥିବା ସୂଚନା ମୁତାବକ, ଗତ ୨୪ ଘଣ୍ଟାରେ କରୋନା ଭାଇରସ୍‌ର ୨ ଲକ୍ଷ ୭୧ ହଜାର ୨୦୨ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏଥିସହ ୧ ଲକ୍ଷ ୩୮ ହଜାର ୩୩୧ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଏହି ଭୟଙ୍କର ଭାଇରସ୍‌ ଯୋଗୁ ୩୧୪ ଜଣଙ୍କ ମୃତ୍ୟୁ ଘଟିଛି।